
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ନିଶାଦ୍ରବ୍ୟ ବ୍ୟବହାର ବିରୋଧରେ ସଚେତନତା ସୃଷ୍ଟି ଓ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପ୍ରତି ପ୍ରେରିତ କରିବା ଉଦ୍ଦେଶ୍ୟରେ ‘ନ୍ୟାସନାଲ୍ ପ୍ଲେଜ୍ ଏଗେନଷ୍ଟ ଡ୍ରଗ୍ ଏବ୍ୟୁଜ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅର୍ଥନୀତି ବିଭାଗ ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡିଙ୍କ ସଭା ପରିଚାଳନାରେ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଶାଦ୍ରବ୍ୟର କୁପ୍ରଭାବ ଓ ଏହାଠାରୁ ଦୂରେଇ ରହିବାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୁଣସାଗର ମେହେର, ପୂର୍ଣ୍ଣଚନ୍ଦ୍ର ପଧାନ ଓ ସୋମେଶଦତ୍ତ ହୋତା ଯୋଗଦେଇ ନିଶାମୁକ୍ତ ସମାଜ ଗଠନରେ ଯୁବସମାଜର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ଶେଷରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆଙ୍କ ଦ୍ୱାରା ଉପସ୍ଥିତ ସମସ୍ତଙ୍କୁ ନିଶାଦ୍ରବ୍ୟ ବିରୋଧୀ ଶପଥ ପାଠ କରାଯାଇଥିଲା । ନିଶାଦ୍ରବ୍ୟଠାରୁ ନିଜେ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବାକୁ ସମସ୍ତେ ସଙ୍କଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଘନଶ୍ୟାମ ଖମାରୀ, ଫାଲଗୁନି ଦାସ, ଶରତଚନ୍ଦ୍ର ପ୍ରଧାନ, ପର୍ଶୁରାମ ବାଗ, ବାସୁଦେବ ଦଲାଇ, ଶୈଳିକା ନାୟକ, ଯଶୋସ୍ମିତା ବେହେରା, ସରିତା ରଣା, ଚନ୍ଦ୍ରିକା ସାହୁ ଓ ଦିଲ୍ଲୀପ ଘିଭେଲାଙ୍କ ସମେତ କଲେଜର ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ “ନିଶାକୁ ନା, ଜୀବନକୁ ହଁ” ବାର୍ତ୍ତା ଦେଇ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା ।