pakka

ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ, ବିପଦପୂର୍ଣ୍ଣ ରାସ୍ତାରେ ଭୋଇପାଲିରୁ ସାଧୁପାଲି

bbehera

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ଭୋଇପାଲି ପ୍ରାଥମିକ ସ୍କୁଲ ବନ୍ଦ ରହିଛି । ଯାହା ଫଳରେ କୋମଳମତୀ ଛାତ୍ରଛାତ୍ରୀ ନିକଟସ୍ଥ ବିଭିନ୍ନ ସ୍କୁଲମାନଙ୍କୁ ଅଧ୍ୟୟନ ପାଇଁ ଯାଉଛନ୍ତି । କିନ୍ତୁ ଭୋଇପାଲିରୁ ସାଧୁପାଲି ଯାଉଥିବା ଛାତ୍ରଛାତ୍ରୀ ଅନେକ ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରୁଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଦୀର୍ଘ ୪ ବର୍ଷ ହେଲା ଲୋଇସିଂହା ବ୍ଲକ ଉପରବାହାଲ ପଞ୍ଚାୟତ ଅନ୍ତର୍ଗତ ଭୋଇପାଲି ପ୍ରାଥମିକ ସ୍କୁଲ କମ୍‌ ପିଲା ଥିବା ଦର୍ଶାଇ ବନ୍ଦ ରହିଛି । ଯାହା ଫଳରେ ଛାତ୍ରଛାତ୍ରୀ ନିକଟସ୍ଥ ସାଧୁପାଲି, ଉପର ବାହାଲ ଓ ମାହାର ପାଲି ସ୍କୁଲ ଉପରେ ପ୍ରାଥମିକ ଶିକ୍ଷା ପାଇଁ ନିର୍ଭର କରୁଛନ୍ତି । କିନ୍ତୁ ଦୁଃଖର କଥା ପାଞ୍ଚ ବର୍ଷୀୟ ପ୍ରଥମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀ ୨ କିଲୋମିଟର ଦୂରତ୍ଵ ସାଧୁପାଲି ସ୍କୁଲକୁ ଯିବା ଆସିବା କରୁଛନ୍ତି । ଯାହାକି ବିପଦପୂର୍ଣ୍ଣ ବୋଲି ଅଭିଭାବକ ଅଭିଯୋଗ କରୁଛନ୍ତି । ଏହି ରାସ୍ତାରେ ସବୁବେଳେ ପଥର ବୋଝେଇ ହାଇୱା ସମେତ ଭାରୀଯାନ ଚଳାଚଳ କରୁଛି । ତେଣୁ ଛାତ୍ରଛାତ୍ରୀଙ୍କୁ ଏକା ଛାଡ଼ିବା ବଦଳରେ ଅଭିଭାବକମାନେ ନେବା ଆଣିବା କରୁଥିବା ଦେଖା ଯାଇଛି । ଏପରିକି କେତେକ ଗରିବ ଅଭିଭାବକ ବାଧ୍ୟ ହୋଇ ଦୈନନ୍ଦିନ ପରିଶ୍ରମ ବନ୍ଦ କରି ପିଲାଙ୍କ ଭବିଷ୍ୟତ ପାଇଁ ଯିବା ଆସିବା କରୁଛନ୍ତି । ଏନେଇ ଭୋଇପାଲି ଗ୍ରାମବାସୀ ଲୋଇସିଂହା ବିଇଓଙ୍କୁ ମଧ୍ୟ ପୁନଃ ସ୍କୁଲ ଖୋଲିବା ପାଇଁ ଲିଖିତ ଦାବୀ କରିଛନ୍ତି । ତେଣୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସାର୍ବଜନୀନ ଦୃଷ୍ଟିରୁ ତୁରନ୍ତ ଭୋଇପାଲି ସ୍କୁଲକୁ ପୁନଃ ଖୋଲିବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

4 + 8 =