
ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ର ରାଉରକେଲା ଇସ୍ପାତ କାରଖାନା ପୁଣିଥରେ ରଚିଛି ଏକ ନୂଆ ଇତିହାସ । କାରଖାନାର ଶକ୍ତି ପରିଚାଳନା ବିଭାଗ ବା ଇଏମଡି ପ୍ରଥମ ଥର ପାଇଁ ସିସିଡି ଅଞ୍ଚଳରେ ଥିବା ଗ୍ୟାସ୍ ମିଲିଂ ଟ୍ୟାଙ୍କର ସଫଳ ପ୍ରତିସ୍ଥାପନ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କାରଖାନା ସ୍ଥାପନା ପରଠାରୁ ଏଭଳି କାର୍ଯ୍ୟ ପ୍ରଥମ ଥର ସମ୍ପାଦିତ ହୋଇଥିବାରୁ ଏହାକୁ ଏକ ଐତିହାସିକ ପଦକ୍ଷେପ ଭାବେ ଦେଖାଯାଉଛି । ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହି ଜଟିଳ କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିବା ବେଳେ, ଜୁଲାଇ ୯ ତାରିଖରେ ଇଏମଡିର ଭାରପ୍ରାପ୍ତ ମହାପ୍ରବନ୍ଧକ ଏ.ଏସ୍. ଖାଖାଙ୍କ ଦ୍ୱାରା ଏହାର ଆନୁଷ୍ଠାନିକ ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଗ୍ୟାସ୍ ମିଲିଂ ଟ୍ୟାଙ୍କ କାରଖାନାର ଗ୍ୟାସ୍ ବିତରଣ ବ୍ୟବସ୍ଥାର ଏକ ଅତ୍ୟନ୍ତ ଜରୁରୀ ଅଂଶ । ବ୍ଲାଷ୍ଟ ଫର୍ଣ୍ଣେସ୍, କୋକ୍ ଓଭେନ୍ ଏବଂ ଏଲଡି ପ୍ଲାଣ୍ଟରୁ ଉତ୍ପାଦିତ ଗ୍ୟାସ୍କୁ ନିର୍ଦ୍ଦିଷ୍ଟ ଅନୁପାତରେ ମିଶ୍ରଣ କରି ଏହା ବିଭିନ୍ନ ବିଭାଗକୁ ଯୋଗାଇଥାଏ । ସିସିଡି ଅଞ୍ଚଳରେ ଥିବା ଦୁଇଟି ଟ୍ୟାଙ୍କ ମଧ୍ୟରୁ ଏହି ନୂତନ ପ୍ରତିସ୍ଥାପିତ ଟ୍ୟାଙ୍କ ତିନୋଟି ଗ୍ୟାସ୍ ବୁଷ୍ଟର୍ ସିଷ୍ଟମକୁ ସେବା ଯୋଗାଇଥାଏ, ଯାହା ଏହାର ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଇଛି । ଗ୍ୟାସ୍ର ସମ୍ବେଦନଶୀଳ ପ୍ରକୃତି ଓ ସମଗ୍ର ବ୍ୟବସ୍ଥାର ଜଟିଳତା କାରଣରୁ ଏହି ପ୍ରତିସ୍ଥାପନ କାର୍ଯ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଓ ବିପଦପୂର୍ଣ୍ଣ ଥିଲା । ତଥାପି କାରଖାନାର ଉତ୍ପାଦନ ଓ ପରିଚାଳନାରେ କୌଣସି ବଡ଼ ପ୍ରଭାବ ନ ପଡ଼ିବା ପାଇଁ ନ୍ୟୁ ପ୍ଲେଟ୍ ମିଲ୍ର କ୍ୟାପିଟାଲ୍ ସଟଡାଉନ୍ ସମୟରେ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିଲା । ସମଗ୍ର ପ୍ରକଳ୍ପର ସମନ୍ୱୟ ଓ ତଦାରଖ କରିଥିଲେ ଇଏମଟିର ମହାପ୍ରବନ୍ଧକ କେ.କେ. ବାର୍ଲା । ସେହିପରି ବିଭାଗୀୟ ସୁରକ୍ଷା ଅଧିକାରୀ ତଥା ଉପ ମହାପ୍ରବନ୍ଧକ ବି.ପି. ପାଣ୍ଡେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରି କାର୍ଯ୍ୟକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିଥିଲେ । ଏହି ସଫଳତା କେବଳ ଇଏମଡିର ବୈଷୟିକ ଦକ୍ଷତାର ପ୍ରମାଣ ନୁହେଁ, ବରଂ ରାଉରକେଲା ଇସ୍ପାତ କାରଖାନାର ନିର୍ଭରଯୋଗ୍ୟ ଓ ଦକ୍ଷ ଗ୍ୟାସ୍ ବିତରଣ ବ୍ୟବସ୍ଥା ପ୍ରତି ଥିବା ଦୃଢ଼ ପ୍ରତିବଦ୍ଧତାର ମଧ୍ୟ ପ୍ରତିଫଳନ ଅଟେ ।

