୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଜନାଦୃତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

  • ଜିଲ୍ଲାର ଦକ୍ଷିଣୀପାଲି ଠାରେ ଜିଲ୍ଲା ସ୍ତରୀୟ ହକି ମହୋତ୍ସବର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡିଶାର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲାଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଆମ ରାଜ୍ୟ ଓଡିଶା ୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଆୟୋଜନ କରୁଥିବାରୁ ଆମେ ସମସ୍ତେ ଜିଲ୍ଲାବାସୀ ନିଶ୍ଚିତ ଭାବେ ଗର୍ବିତ । ପୁନଶ୍ଚ ରାଜ୍ୟର ଗର୍ବ ଓ ଗୌରବକୁ ପରିପୃଷ୍ଟ କରିବା ନିମନ୍ତେ ସମସ୍ତ ପୁରପଲ୍ଲୀଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ହକିଖେଳକୁ ବ୍ୟାପକ ଓ ଜନାଦୃତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପୂର୍ବ ପ୍ରସ୍ତୁତି ପୂର୍ବକ ଜିଲ୍ଲାର ହକିଗଡ ଦକ୍ଷିଣୀପାଲି ଠାରେ ଏକ ସୁସଜ୍ଜିତ ହକିରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର, ବିଡ଼ିଓ ହେମସାଗର ଭୋଇ ତଥା ଜିଲ୍ଲାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ହକି ରଥର ଶୁଭାରମ୍ଭ କରିଥିଲେ । ପରେ ପରେ ଏହି ପରିପ୍ରେକ୍ଷୀରେ ଜିଲ୍ଲା କ୍ରୀଡା ବିଭାଗ ଦ୍ୱାରା ଆୟୋଜିତ ବର୍ଣ୍ଣାଢ୍ୟ ସଭାରେ ଜାତୀୟ ଖେଳ ହକିକୁ ସବୁ ବର୍ଗରେ ଆଦୃତ କରିବା ସହ ହକି ବିଶ୍ୱ କପ୍‌ ୨୦୨୩ ଖେଳ ମହାକୁମ୍ଭକୁ ଜିଲ୍ଲା ବ୍ୟାପୀ ଉତ୍ସାହ ଉଦ୍ଦୀପନାର ସହ ପାଳନ କରିବାକୁ ଆହ୍ୱାନ କରିଛନ୍ତି ଅତିଥି ବୃନ୍ଦ । ଆଜି ଏହି ପରିପ୍ରେକ୍ଷୀରେ ଦକ୍ଷିଣୀପାଲି ହକି ଖେଳ ପଡିଆରେ ଦକ୍ଷିଣୀପାଲି ଓ ଏସ୍‌ ପତ୍ରାପାଲି ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ହକି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ପାରମ୍ପରିକ ଲୋକନୃତ୍ୟ, ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହକି ବିଶ୍ୱ କପ ଅବ୍ୟାବାହିତ ପୂର୍ବରୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ସର୍ବସାଧାରଣ ଯେପରି ହକି ବିଶ୍ୱ କପ ୨୦୨୩ର ମହନୀୟତାକୁ ହୃଦବୋଧ କରି ବିଶ୍ୱ ହକି ମହାକୁମ୍ଭରେରେ ଆନ୍ତରିକ ସାମିଲ ହେବେ ସେଥିପ୍ରତି ଗରୁତ୍ୱାରୋପ କରାଯାଇ ଏହି ରଥ ଜିଲ୍ଲାର ସମସ୍ତ ୧୦୯ ଗୋଟି ପଞ୍ଚାୟତକୁ ପରିକ୍ରମା କରିବ । ଆଜି ପ୍ରଥମ ଦିନରେ ଏହି ହକି ରଥ ଦକ୍ଷିଣୀପାଲି ଠାରୁ ଆରମ୍ଭ କରି ବିଶେଷ ପଟୁଆରରେ ଉଲୁଣ୍ଡା ବ୍ଲକ ର ପଞ୍ଚ ମହଲା, ଯାଲୋଏ, କଳାପଥର ଓ ମହାଦା ଗ୍ରାମ ପଞ୍ଚାୟତକୁ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତାକାଲି ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ଛକୋରମାଲ, ରେଙ୍ଗାଲି, ମଲ୍ଲିକମୁଣ୍ଡା, ହର୍ଡଖୋଲ ଗ୍ରାମ ପଞ୍ଚାୟତକୁ ପରିକ୍ରମା କରି ପଞ୍ଚାୟତ ସ୍ତରରେ ସମସ୍ତ ବର୍ଗର ଲୋକଙ୍କୁ ହକି ଖେଳ ସମ୍ୱନ୍ଧୀୟ ବିଶେଷ ତଥା ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନରେ ସାମିଲ କରିବ ଯଦ୍ୱାରା ଚଳିତ ହକି ବିଶ୍ୱକପର ଉଚ୍ଛ୍ୱାସରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାର ସୁଯୋଗ ନେଇପାରିବେ । ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ସଦସ୍ୟ, ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାଂସ୍କୃତିକ ଦଳ, ସାମ୍ବାଦିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

17 + 14 =

error: Content is protected !!