ବଲାଙ୍ଗିର ନାଗରିକ କମିଟିର ବ୍ରାହ୍ମଣପଡା ୟୁପି ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟି ଶିକ୍ଷା ବିଭାଗ ସବ୍‌ କମିଟିର ସଭ୍ୟମାନେ ସ୍ଥାନୀୟ ବ୍ରାହ୍ମଣପଡା ୟୁପି ସ୍କୁଲ ପରିଦର୍ଶନ କରି ସ୍କୁଲର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିଲେ । ସିଆରସିସି ରଶ୍ମିତା ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ବେହେରା, ସହକାରୀ ଶିକ୍ଷୟିତ୍ରୀ ଜୟଶ୍ରୀ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ରାଏଗୁରୁ, ଉତ୍ତମା ବାଗ, ଗୀତାଞ୍ଜଳି ପଟେଲ ତଥା ଭାରତୀ ପାଣିଗ୍ରାହୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ । କମିଟି ସଦସ୍ୟ ଧର୍ମବ୍ରତ ରଥ, ଗୋପଭୂଷଣ ନାଥ, ପିତବାସ ପଣ୍ଡା, ଦିବାକର ହୋତା ଏବଂ ଆର୍ତ୍ତତ୍ରାଣ ମିଶ୍ର ପରିଦର୍ଶନରେ ଉପସ୍ଥିତ ଥିଲେ । ଶିକ୍ଷାଦାନ ଉପଯୋଗୀ ୪ଟି ଶ୍ରେଣୀ ଗୃହ ଥିବା ବେଳେ ୩ଟି କୋଠରୀ ମରାମତି ଅଭାବରୁ ବ୍ୟବହାରଯୋଗ୍ୟ ହୋଇନାହିଁ । ଅଷ୍ଟମ ଶ୍ରେଣୀ ପାଇଁ ହିନ୍ଦୀ, ସଂସ୍କୃତ ଏବଂ ଖେଳ ଶିକ୍ଷକ ଏପର୍ଯ୍ୟନ୍ତ ନିଯୁକ୍ତି ପାଇ ନାହାନ୍ତି । ବିଦ୍ୟାଳୟରେ ଷ୍ଟାଫ୍‌ ଶୌଚାଳୟ ଏବଂ ବାଳକ ଶୌଚାଳୟ ନାହିଁ । ପିଇବା ପାଣି ସଂରକ୍ଷଣ ବ୍ୟବସ୍ଥା ନାହିଁ । ବୋରୱେଲ ଅଚଳ ଅବସ୍ଥାରେ ଅଛି । ଲକ୍ଷ୍ମୀଜୋର ପଟକୁ ସ୍କୁଲର ପାଚେରୀ ନ ଥିବାରୁ ଅସାମାଜିକ ଲୋକଙ୍କ ଦୌରାମ୍ୟ ଲାଗି ରହିଛି । ସ୍କୁଲର କିଛି ଅଂଶ ଜବରଦଖଲ ହୋଇଥିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ସୂଚନା ଦିଆଯାଇଛି । ବର୍ଷା ଦିନେ ବିଦ୍ୟାଳୟର ରାସ୍ତାକଡର ଶ୍ରେଣୀ କୋଠରୀ ଗୁଡିକର କାନ୍ଥରୁ ତଥା ଛାତରୁ ପାଣି ଝରୁଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ବିଦ୍ୟୁତ ସଂଯୋଗୀକରଣ ହୋଇପାରିନ ଥିବାରୁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି । ଏ ନେଇ କମିଟିର ସଦସ୍ୟମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣିବାକୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.

twelve + 3 =

error: Content is protected !!