
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡି.ଏ.ଭି. ସ୍ୱୟଂଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ର ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ ପକ୍ଷରୁ ଛାତ୍ରୀମାନଙ୍କ ଆତ୍ମବିଶ୍ୱାସ, ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ବୃଦ୍ଧି ଉଦ୍ଦେଶ୍ୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର ସୋମନାଥ ଭବନଠାରେ ହୋଇଯାଇଛି । ପୂର୍ବାହ୍ନ ୧୦ଟାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ରମାକାନ୍ତ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଯୋଗଦେଇଥିଲେ । ଉଦ୍ଘାଟନୀ ସମାରୋହରେ ଅତିଥିମାନେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମରକ୍ଷାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିବା ସହିତ ଏଭଳି ପ୍ରଶିକ୍ଷଣ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ ଓ ସଶକ୍ତ କରିବ ବୋଲି କହିଥିଲେ । ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷର ସଂଯୋଜିକା ଡ. ଶବ୍ୟା ରାଣୀ ସୁନାଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ରୋଜାଲି ସେଠୀ ଓ ଡ. ଦୁର୍ଗେଶ୍ୱରୀ ମହାନନ୍ଦ ସହଯୋଗୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଶକ୍ତିଶ୍ରୀ ପିୟର୍ ଲିଡର୍ ଶ୍ୱେତଲିନା ସାରଙ୍ଗୀ କାର୍ଯ୍ୟକ୍ରମର ସଂଚାଳନା କରିଥିବାବେଳେ ଗ୍ରେସି ଲୁଗୁନ୍ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷକ ଭାବେ ଯାଜ୍ଞସେନୀ ମାଝୀ ଓ ପଲ୍ଲବୀ ସାଗର ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ, ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ ଉପାୟ ଏବଂ ଆତ୍ମବିଶ୍ୱାସର ସହିତ ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହେବାର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ଅବସରରେ ସଞ୍ଜୟ ପଟ୍ଟନାୟକ, ଦିଲୀପ କୁମାର, ଡ. ଶକ୍ତିମୋହନ ତ।ଣ୍ଡିଙ୍କ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରୀ ଉପସ୍ଥିତ ଥିଲେ । ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତିକରଣ, ଆତ୍ମବିଶ୍ୱାସ ଓ ସ୍ୱାବଲମ୍ବନ ବୃଦ୍ଧି ଦିଗରେ ଏହି ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମୟୋପଯୋଗୀ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।