ତାଳଚେର ଉପଖଣ୍ଡ ପଶୁ ଚିକିତ୍ସାଳୟ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଦୁର୍ଘଟଣା ପ୍ରବଣ କୋଇଲାନଗରୀ ତାଳଚେରର ଏକମାତ୍ର ପଶୁ ଚିକିତ୍ସାଳୟରେ ଆହତ ବୁଲା ଗାଈଗୋରୁଙ୍କ ଉପାଚାର ଏକ ସମସ୍ୟା ରୂପେ ଉଭା ହୋଇଛି । ଅନେକ ସମୟରେ କୋଇଲାଟ୍ରକ ତଳେ ଗାଈଗୋରୁଙ୍କ ଜୀବନ ଯାଉଥିବା ସମୟରେ କେତେ ଗାଈଗୋରୁ ମୁର୍ମୁଷୁ ଅବସ୍ଥାରେ ରାସ୍ତା ଉପରେ ପଡି ରହୁଛନ୍ତି । ଏ ଦିଗରେ କିଛି ଗୋ’ ସେବକ ଏବଂ ପଶୁ ପ୍ରେମୀ ସେହି ଆହତ ଗାଈଗୋରୁଙ୍କ ଉପଚାର ପାଇଁ ନିଜସ୍ୱ ପ୍ରଚେଷ୍ଟାରେ ପଶୁ ଚିକିତ୍ସାଳୟରେ ଛାଡି ଦେଇ ଯାଉଛନ୍ତି । ଯଦିଓ ପଶୁ ଚିକିତ୍ସାଳୟ ଡାକ୍ତର ଓ ଷ୍ଟାଫ୍‌ ଆହତ ଜୀବର ଚିକିତ୍ସା କରିବାକୁ ଆଗେଇ ଆସୁଛନ୍ତି ସେମାନଙ୍କ ଖାଦ୍ୟପେୟ ଓ ଯତ୍ନ ନେବାକୁ ପଶୁ ଚିକିତ୍ସାଳୟର କୌଣସି ପ୍ରାବଧାନ ନାହିଁ । ଏଣୁ ଚିକିତ୍ସା ହେଉଥିବା ଗାଈଗୋରୁଙ୍କ ଜୀବନରକ୍ଷା କେବଳ ଏହି ପଶୁପ୍ରେମୀ ଏବଂ ଗୋ’ ସେବକଙ୍କ ସେବା ଯତ୍ନ ଉପରେ ନିର୍ଭର କରୁଛି ଯାହାକି ଏଭଳି ଏକ ଦୁର୍ଘଟଣା ପ୍ରବଣ ଅଂଚଳ ନିମନ୍ତେ ପର୍ଯ୍ୟାପ୍ତ ନୁହେଁ । ଅନେକ ପଶୁପ୍ରେମୀ ଓ ଗୋ’ ସେବକ ପଶୁ ଚିକିତ୍ସାଳୟର ପରିବେଶ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଛିନ୍ତି । ଏକ ଚିକିତ୍ସାଳୟ ଯେପରି ପରିଷ୍କାର ପରିଚ୍ଛନ୍ନ ରହିବା କଥା ତାହା ଏଠାରେ ଦେଖିବାକୁ ମିଳୁନାହିଁ । ଚିକିତ୍ସାଳୟ ମଧ୍ୟରେ ଅନାବନା ବୃକ୍ଷଳତା ସହିତ ଆବର୍ଜ୍ଜନାପୂର୍ଣ୍ଣ ହୋଇ ପରିବେଶ ଆହତ ଜୀବଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼େଇଦେଉ ଥିବା ଶୁଣିବାକୁ ମିଳୁଛି । ପଶୁ ଚିକିତ୍ସାଳୟ କର୍ମକର୍ତ୍ତା ଏବାଦରେ ସ୍ଥାନୀୟ ମ୍ୟୁନିସିପାଲ ଅଫିସକୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ମ୍ୟୁନିସିପାଲ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆସୁଛି । ଏଣୁ ଉପଖଣ୍ଡ ପ୍ରଶାସନରେ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଏଥି ପ୍ରତିଦୃଷ୍ଟି ଦେବାକୁ ସ୍ଥାନୀୟ ପଶୁପ୍ରେମୀ ଏବଂ ଗୋ’ ସେବକ ଆଶା ରଖିଛନ୍ତି ।

Leave A Reply

Your email address will not be published.

thirteen − eight =