jayashree

ଆସୁଛି ବାତ୍ୟା ମୋନ୍ଥା , ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାରେ ବାତ୍ୟା ମୋନ୍ଥା ପାଇଁ ୨୭ ଓ ୨୮ ତାରିଖକୁ ଅରେଞ୍ଜ ଆଲର୍ଟ ଦିଆ ଯାଇଥିବା ବେଳେ ୨୯ ତାରିଖକୁ ରେଡ଼ ଆଲର୍ଟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି । କଳାହାଣ୍ଡି ଜିଲ୍ଲାରେ ୬୭ଟି ଗ୍ରାମପଞ୍ଚାୟତ ଚିହ୍ନଟ କରାଯାଇଛି । ସେହି ୬୭ଟି ଗ୍ରାମ ପଞ୍ଚାୟତରେ ୧୧୭ଟି ଗ୍ରାମ ବନ୍ୟା ପ୍ରବଣ ଅଟେ । ତେଣୁ ସେହି ଗ୍ରାମ ଗୁଡିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି । ଯଦି ଅଧିକ ବର୍ଷା ହୁଏ ସେହି ଗ୍ରାମ ମାନଙ୍କରେ ପାଣି ପଶିବାର ଏବଂ ବନ୍ୟା ହେବାର ଅଧିକ ସମ୍ଭାବନା ଅଛି । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାରେ ମୋଟ ୯୬ଟି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି ଏବଂ ୪ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ମଧ୍ୟ କରାଯାଇଛି । ଏହି ସବୁ ୯୬ଟି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ଏବଂ ୪ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ ସବୁ ବିଡ଼ିଓମାନେ ନିଜେ ବ୍ୟକ୍ତିଗତ ଭାବରେ ପରିଦର୍ଶନ କରୁଛନ୍ତି । ସବୁ ଆଶ୍ରୟସ୍ଥଳୀରେ ସବୁ ଜାଗାରେ ଆଲୋକର ବ୍ୟବସ୍ଥା ଅଛି, ପାଣିର ବ୍ୟବସ୍ଥା ଅଛି । ଅସ୍ଥାୟୀ ରୋଷେଇ ଘର ମଧ୍ୟ ବ୍ୟବସ୍ଥା କରାଯାଇଛି । ବ୍ଲକ୍ ଏବଂ ୟୁଏଲବି ଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସବୁ ବ୍ଲକରେ ଦୁଇ-ଦୁଇଟି ଲେଖାଏଁ ଜେସିବି ରଖିବାକୁ କୁହାଯାଇଛି ସେହି ଜେସିବିରେ ଜଣେ-ଜଣେ ଉତ୍ସର୍ଗୀକୃତ ଡ୍ରାଇଭର ରହିବେ । ପମ୍ପ୍, ହେଣ୍ଡ ପମ୍ପ୍ , ମୁଖ୍ୟତଃ ସହରାଞ୍ଚଳରେ ଯେଉଁଠି ପାଣି ପଶିବ ସେଥିପାଇଁ ଭବାନୀପାଟଣା ମ୍ୟୁନିସିପାଲିଟିରେ ପାଞ୍ଚଟି ହେଣ୍ଡ ପମ୍ପ୍ ବ୍ୟବସ୍ଥା କରାଯାଇଛି । ଏନଏସିରେ ଦୁଇ-ଦୁଇଟି ଏବଂ ବ୍ଲକରେ ମଧ୍ୟ ଦୁଇ-ଦୁଇଟି ହେଣ୍ଡ ପମ୍ପ୍‌ର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ଯଦି କୌଣସି ସ୍ଥାନ ଜଳମଗ୍ନ ହୁଏ ତେବେ ପାଣି ନିଷ୍କାସନ କରାଯାଇପାରିବ । ଏହା ସହ ବିକଳ୍ପ ଡିଜି ସେଟ୍ ମଧ୍ୟ ଅସ୍ଥାୟୀ ଭାବରେ ରଖାଯାଇଛି, ଯେଉଁଠି ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସ୍ଥଳେ ବିଡ଼ିଓ ମାନେ ବ୍ୟବସ୍ଥା କରିବେ । ଜିଲ୍ଲାରେ ବର୍ତମାନ ୩୬୬ ଜଣ ଗର୍ଭବତୀ ମାଆ ଅଛନ୍ତି ଯାହାଙ୍କର ପ୍ରସବର ଆନୁମାନିକ ତାରିଖ ପରବର୍ତ୍ତୀ ୧୦ ଦିନ ମଧ୍ୟରେ ଅଛି । ତେବେ ଏହି ୩୬୬ ଜଣଙ୍କ ମଧ୍ୟରୁ ପୂର୍ବରୁ ୬୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ମାଆ ଗୃହ , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ସ୍ଥାନାନ୍ତର କରାଯାଇଛି, ଏବଂ ବାକି ପ୍ରାୟ ୨୦୦ ଜଣ ରହିଛନ୍ତି ତାହା ମଧ୍ୟ ପ୍ରକ୍ରିୟାରେ ଅଛି । କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା ୬୭ଟି ଜିପି କିମ୍ବା ୧୧୭ଟି ଗାଁ ଅଛି, ସେଠାରେ ଯଦି କୌଣସି ଗର୍ଭବତୀ ମାଆ ଅଛନ୍ତି ତାଙ୍କୁ ମଧ୍ୟ ବାତ୍ୟା ସୂଚନା ପୂର୍ବରୁ ଦିଆଯାଇଛି । ଏହି ସବୁ ଗାଁରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ପ୍ରଦାନ କରାଯାଇଛି, ଯାହାଫଳରେ ଲୋକେ ଠିକ୍ ଭାବରେ ସଚେତନ ହେବେ ଏବଂ ସେଠାରେ ଯଦି ଗର୍ଭବତୀ ମାଆ ଅଛନ୍ତି ତାଙ୍କୁ ମଧ୍ୟ ଜରୁରୀକାଳୀନ ସ୍ଥିତିରେ ସ୍ଥାନାନ୍ତର କରିବା ପାଇଁ ପୂର୍ବରୁ ଆଶ୍ରୟ କକ୍ଷର ବ୍ୟବସ୍ଥା କରାଯାଇଛି । ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ଅଛି । ଏଥିପାଇଁ ୬୬୭୦ ୨୩୦ ୪୫୫ ଜରୁରୀ ନମ୍ବର ଖୋଲା ଯାଇଛି ଏହା ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଅଛି । ଯଦି କାହାର କିଛି ବି ଜରୁରୀକାଳୀନ ପରିସ୍ଥିତି ହେଉଛି ଏହା ୨୪/୭ ଖୋଲା ଅଛି । ଗ୍ରାମ୍ୟ ଜଳ ଯୋଗାଣ ପାଇଁ ଜିଲ୍ଲାରେ ମୋଟ ୫୫୦ରୁ ଊର୍ଦ୍ଧ୍ୱ ବଡ଼-ବଡ଼ ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଛି । ଆର୍‌ଡବ୍ଲୁଏସ୍‌ଏସ୍‌ ମୋଟ ୨୨ଟି ଟିମ୍ ଗଠନ କରାଯାଇଛି । ସାପ କାମୁଡ଼ା ପ୍ରତିଷେଧକ ଏହି ସମୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ସାପ କାମୁଡ଼ା ପ୍ରତିଷେଧକ ସମସ୍ତ ପିଏଚ୍‌ସି , ସମସ୍ତ ସିଏଚ୍‌ସି ଏବଂ ଡିଏଚ୍‌ସି, ଏସ୍‌ଡ଼ିଏଚ୍‌ଏଚ୍‌ ସବୁ ଜାଗାରେ ରଖାଯାଇଛି । ଟାଟା ପାୱାରର ମୋଟ ଜିଲ୍ଲାରେ ୪୮ଟି ଟିମ୍ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଶୁଖିଲା ରାସନ୍, ଚୂଡ଼ା , ଗୁଡ଼, ବିସ୍କୁଟ୍ , ଆଦି ସବୁ ବ୍ଲକରେ ଏହା ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ତିନୋଟି ଓଡ଼ିଆର୍‌ଏଏଫ୍‌ ଟିମ୍ କଳାହାଣ୍ଡିରେ ନିୟୋଜିତ ହୋଇଛନ୍ତି । ଭବାନୀପାଟଣା, ଥୁଆମୂଳ ରାମପୁରରେ ଓ ଧର୍ମଗଡ଼ରେ ନିୟୋଜିତ ଅଛନ୍ତି । ୨୮, ୨୯ ଏବଂ ୩୦ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ସମସ୍ତ କର୍ମଚାରୀ ମୁଖ୍ୟାଳୟ ଛାଡ଼ିକି ଯାଇ ପାରିବେ ନାହିଁ । ସମସ୍ତଙ୍କୁ ଯେଉଁ କାର୍ଯ୍ୟସ୍ଥଳୀରେ ଦାୟିତ୍ଵ ଦିଆଯାଇଛି ସେଠାରେ ହିଁ ସେମାନେ ରହିବେ । କେହି ବି ନିଜର କାର୍ଯ୍ୟସ୍ଥଳୀ ଛାଡ଼ିକି ଯାଇ ପାରିବେ ନାହିଁ । ସେଭଳି ୨୮ ତାରିଖ ଠାରୁ ୩୦ ତାରିଖ ଯାଏ ତିନି ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ୍ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବୈତାରୁ ଦୀପ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.