ବାରପାହାଡ ଖୋଲର ଚେକ୍‌ ଡ୍ୟାମ ପ୍ରସଙ୍ଗ : ଚେକ୍‌ ଡ୍ୟାମ, ଆଡିବନ୍ଧ ଓ ବ୍ଲକପ୍ଲାନଟେସନ ପାଇଁ ହେବ ନୂଆ ପ୍ରସ୍ତାବ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ରାଜପାଲି ବାରପାହାଡ ଖୋଲରେ ଚାଲିଥିବା ଚେକ୍‌ ଡ୍ୟାମ କାମକୁ ବନ ବିଭାଗ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିବାରୁ ଏହି ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ସୋନପୁର ଜିଲ୍ଲା ପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଏନେଇ ବନ ବିଭାଗକୁ ଟାର୍ଗେଟ କରିଥିଲେ । ଏପରିକି ବୈଠକରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାହାରୀ ଓ ସୁୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଡିଏଫଓଙ୍କୁ ତାଗିଦ କରିଥିଲେ । ଉକ୍ତ ଦିନ ସରଜମିନ ତଦନ୍ତ କରି ଡିଏଫଓ ସ୍ଥିତିର ଅନୁଧ୍ୟାନ କରିବାକୁ ବୈଠକରେ ନିର୍ଦ୍ଦେଶ ହୋଇଥିଲା । ସୋନପୁର ଡିଭିଜନର ଡିଏଫଓ ନିଜେ ତାଙ୍କ ଷ୍ଟାଫଙ୍କ ସହିତ ଆସି ବନ୍ଦ ହୋଇଥିବା ଚେକ୍‌ ଡ୍ୟାମର ସ୍ଥିତି ଅନୁଧ୍ୟାନ କରିଥିଲେ । ଚେକ୍‌ ଡ୍ୟାମ କାମ ନିମ୍ନମାନର ହେଉଥିବା ସ୍ଥାନୀୟ ଯୁବକମାନେ ଅଭିଯୋଗ କରିଥିଲେ । ସତକୁ ସତ କାମଟି ନିମ୍ନମାନର ହେଉଥିବା ଓ ଫିଜିବିଲିଟି ଠିକ୍‌ ନଥିବା ଡିଏଫଓ ମଧ୍ୟ ହୃଦ୍‌ବୋଧ କରିଥିଲେ । ଆଜି ସୋନପୁର ଡିଏଫଓଙ୍କ ନିର୍ଦ୍ଦେଶରେ ନାରାୟଣପୁର ସେକ୍ସନ ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ପୁଣି ଥରେ ଆସି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଫିଲ୍ଡ ଭିଜିଟ କରିଛନ୍ତି । ଯେଉଁଠାରେ ଚେକ୍‌ ଡ୍ୟାମ ନିର୍ମାଣ ହେଉଥିଲା ତାହାର ଫିଜିବିଲିଟି ଠିକ୍‌ ନଥିଲା । ତେଣୁ ତା’ତଳକୁ ଝରଣାରେ ଚେକ୍‌ ଡ୍ୟାମ ନିର୍ମାଣ କରିବା, ଚେକ୍‌ ଡ୍ୟାମର ଉଭୟ ପଟେ ମାଟି ଆଡିବନ୍ଧ ନିର୍ମାଣ କରିବା ସହିତ ଉଭୟ ପଟେ ବ୍ଲକପ୍ଲାଣ୍ଟେସନ କରାଇବାକୁ ଉପସ୍ଥିତ ଅଞ୍ଚଳବାସୀ ଅନୁରୋଧ କରିଥିଲେ । ପ୍ରଥମେ ଡ୍ରୋନ ସର୍ଭେ କରିବା ସହିତ ଲେଭେଲିଂ ନେଇ ଚେକ୍‌ ଡ୍ୟାମର ଅଟକଳ କରିବାକୁ ଫରେଷ୍ଟର ସମ୍ମତି ଦେଇଥିଲେ । ଏହି ଆର୍ଥିକ ବର୍ଷରେ ଏହାର ପ୍ରସ୍ତାବକୁ ଅନୁମୋଦନ କରାଇ ଅକ୍ଟୋବର ମାସ ବେଳକୁ କାମ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ବାରପାହାଡ ପୀଠଟି ଅଞ୍ଚଳର ଲୋକଙ୍କ ଆଧ୍ୟାତ୍ମିକ ଭାବନା ସହିତ ଜଡିତ ଥିବାରୁ ଏହାର ବିକାଶ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ ବୋଲି ବୈଠକରେ ଉପସ୍ଥିତ ଥିବା ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ କହିଥିଲେ । ସେହିପରି ବୁର୍ଡା-ଅର୍ଜୁନପୁର ପୂର୍ତ୍ତ ବିଭାଗ ରାସ୍ତାରୁ ପ୍ରକଳ୍ପ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ପାହାଡ ତଳୁ ବାରପାହାଡ ଦେବୀଙ୍କ ଗୁମ୍ଫା ପର୍ଯ୍ୟନ୍ତ ପାହାଡକୁ ପାହାଚ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଏହି ପରିଦର୍ଶନ ଓ ଆଲୋଚନାରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ପାଇକବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଗଣନାଥ ସାହୁ, ନାରାୟଣପୁର ସେକ୍ସନ ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର, ଦେଉଳପଦର ପେକ୍ସ ସଭାପତି ରାଜେନ୍ଦ୍ର ପଣ୍ଡା, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜପାଲି ଗ୍ରାମର ଶତୃଘ୍ନ ପଣ୍ଡା, ମଦନମୋହନ ପଣ୍ଡା, କିଶୋର ପଣ୍ଡା, ଦାମୋଦର ଶିକା, ଭକ୍ତ ଶିକା, ବ୍ରାହ୍ମଣୀପାଲି ଗ୍ରାମର ଭାଗିରଥି ସାହୁ, ଗଣେଶ ସାହୁ, ଜଗନ୍ନାଥ ଷାଣ୍ଢ, ଫଗୁ ମେହେର, ସୁରଥ ନାଗ, ଦେବହରୀ ଛତ୍ରିଆ, ଡାହିମାଲର ନାଥ ସା’, ଚିତ୍ତ ସା’, ବିଶ୍ୱାମିତ୍ର ସା’, ମେଣ୍ଡାର ମହାଦେବ ଜେନା, ଡୁବୁଲ ଦଣ୍ଡସେନା, ତିଲେଇମାଲର ଅଯୋଧ୍ୟା ଭୁଏ ପ୍ରମୁଖଙ୍କ ସହିତ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ ।

Leave A Reply

Your email address will not be published.

15 − 3 =