
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର, କୁଲୁତାପଡ଼ା, ଘୁଟଖାପଲା, ବଡବାହାଲ ଓ ଗୌଡ଼ଗୋଠ ଏବଂ ସୋନପୁର ଜିଲ୍ଲାର ବାଲିଖମାର ପଞ୍ଚାୟତର ଝିଲିମୁଣ୍ଡା ଅଞ୍ଚଳର ଚାଷୀମାନଙ୍କ ବ୍ରାହ୍ମଣୀପଲ୍ଲା ତେଳନଦୀ କୂଳରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କ ପୂର୍ବ ସଭାପତି ଲକ୍ଷ୍ମଣ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତର ୬ଗୋଟି ଭେଗା ଉଠାଜଳସେଚନ ପ୍ରକଳ୍ପ ଓ ବଡ଼ବାହାଲ ପଞ୍ଚାୟତର କେନ୍ଦୁଘାଟରେ ଥିବା ୪ ଗୋଟି ଭେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ଶୀଘ୍ର କରିବା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜୁନ ମାସ ଶେଷ ହୋଇଥିଲେ ମଧ୍ୟ ଏହି ଅଞ୍ଚଳରେ ମଧ୍ୟ ବର୍ଷା ହୋଇନାହିଁ । ଗଜା ମରୁଡ଼ିର ସମ୍ଭାବନା ଥିବାରୁ ଚାଷୀମାନଙ୍କ ଉଦବେଗ ସହ ପ୍ରକାଶ ପାଇଥିଲା । ଏଣୁ ତୁରନ୍ତ ଉପରାଗକ୍ତ ୧୦ଟି ମେଗାଉଠା ଜଳସେଚନ ପ୍ରକଳ୍ପକୁ ଚଲାଇବା ପାଇଁ ସୋନପୁର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ତାହା ସହ ଏହି ଅଞ୍ଚଳରେ ପୂର୍ବରୁ ତିଆରି ହୋଇଥିବା ୩୨ଟି ଉଠା ଜଳସେଚନ ପଏଣ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ଚାଷୀମାନେ ସାମୂହିକ ଭାବେ ଦୃଢ଼ ଦାବୀ କରିଥିଲେ । ତଦଅନୁସାରେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ୩୨ଟି ଉଠା ଜଳସେଚନ ପ୍ରକଳ୍ପ ଚାଲୁ କରି ଚାଷୀମାନଙ୍କୁ ପାଣି ଦେବା ପାଇଁ ଅନୁରୋଧ କରାଗଲା । ନିର୍ବାହୀ ଯନ୍ତ୍ରୀ ଦ୍ୱୟ ଆସନ୍ତା ୨ ଦିନ ମଧ୍ୟରେ ଚାଷ ପାଇଁ ପାଣି ଦେବାକୁ ଚାଷୀମାନଙ୍କୁ ଫୋନ ଯୋଗେ ନିର୍ବାହ ପ୍ରତିଶୃତି ଦେଇଥିଲେ । ବ୍ରାହ୍ମଣୀପଲ୍ଲା ମେଗା ଉଠାଜଳସେଚନ ପ୍ରକଳ୍ପ ଓ କେନ୍ଦୁଘାଟ ପ୍ରକଳ୍ପକୁ ଟିଟିଲାଗଡ଼ ଡିଭିଜନ ଅଧିନରେ ରଖିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାସ କରି ସର୍ବୋଚ୍ଚ ଯନ୍ତ୍ର ଜଳ ସେଚନ ବିଭାଗ ଏବଂ ଶାସନ ସଚିବ ତଥା କମିଶନରଙ୍କୁ ଅନୁରୋଧ କରାଗଲା । ପ୍ରସ୍ତାବିତ ବ୍ରାହ୍ମଣୀପଲ୍ଲା ବ୍ୟାରେଜକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଚାଷୀମାନେ ଦୃଢ଼ ମତ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଏକ ପ୍ରତିନିଧୀ ଦଳ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ସୂଚନା ଯୋଗ୍ୟ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉପରୋକ୍ତ ୫ଟି ପଞ୍ଚାୟତ ଯଥା କୁଲୁତାପଡ଼ା, ଅର୍ଜୁନପୁର, ଘୁଡଖାପଲା ବଡ଼ବାହାଲ ଓ ଗୌଡ଼ଗୋଠ ସହ ଦେଓଗାଁ ବ୍ଳକର ମକୁନ୍ଦପୁର, ଉପରଝର, ମହଲାଇ, ସାଲେପାଲି, ଉଡାର, ଜରାସିଂହା ଏବଂ ଗାଈବାହାଲ ପଞ୍ଚାୟତର ରାଏପାଲି ଏବଂ ଘୁଚିପାଲିର ମୋଟ ୫୬ଟି ଗାଁର ପ୍ରାୟ ୫୦ହଜାରରୁ ଅଧିକ ଜନସାଧାରଣ ପିଇବା ପାଇଁ ପାଣି ସୁବିଧାରେ ପାଇପାରିବେ । ଏହି ବୃହତ ଜଳ ଯୋଗାଣ କାର୍ଯ୍ୟଟି ମନ୍ଥର ଗତିରେ ଚାଲୁଥିବାରୁ ଚାଷୀମାନେ ଉଦବେଗ ପ୍ରକାଶ କରିଥିଲେ । ଏହି ବୈଠକରେ ରୁପାଧର ପୁଟା, ବେଣୁଧର ସିଂ, ସେନାପତି ପଧାନ, ସୁରେନ୍ଦ୍ର ଷାଣ୍ଢ, ମୁଜାପର ରଣା, ରାତୁ ରଣା, ସଞ୍ଜୟ ଛତ୍ରିଆ, ଉପଶଙ୍କର ପଧାନ, ଦିଦେଶ ସେଠ, ଗୋପିନାଥ ନାଗ, ପଙ୍କଜ ରଣା ଭୋଜରାଜ ତ୍ରିପାଠୀ, ସୁବାଷ ହେର୍ଣ୍ଣ ପ୍ରମୁଖ ଶତାଧିକ ଚାଷୀ ଯୋଗଦେଇଥିଲେ । ପରେ ଚାଷୀ ପ୍ରତିନିଧୀମାନେ ଶ୍ରୀ ମେହେରଙ୍କ ନେତୃତ୍ୱରେ ଗୌଡ଼ଗୋଠ ଏବଂ ଅର୍ଜୁନପୁର ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କ ଡାଳୁଆ ମଣ୍ଡି ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ପ୍ରଶାସନକୂ ଦାବୀ କରିଥିଲେ ।
