ଓଡ଼ିଶା ଲଳିତ କଳା ଏକାଡ଼େମୀର ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନଏସ୍‌) : ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ “ଅସ୍ମିତାର ଲହରୀ” ଶୀର୍ଷକ ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ବାଲେଶ୍ଵର ସ୍ଥିତ ସଂସ୍କୃତି ଭବନରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ସୁନ୍ଦର ସୁନ୍ଦର ଚିତ୍ରର ପ୍ରଶଂସା କରିଥିଲେ । ପ୍ରଦର୍ଶନୀରେ ଓଡ଼ିଶାର ୪୫ ଜଣ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ସ୍ଥାନ ପାଇଛି । ଚିତ୍ରଗୁଡିକ ସୁଦୃଶ୍ୟ ଘଟଣାବଳୀ, ଆଦିବାସୀ କଳା ଓ ସଂସ୍କୃତି, ସ୍ୱଧୀନତା ସଂଗ୍ରାମୀ, ପୁରାଣ କଥା, ମା’ ଓ ଶିଶୁ, ଆଧୁନିକ ଶୈଳୀରେ ଆଙ୍କିତ ବିଭିନ୍ନ ଭାବନାକୁ ଶିଳ୍ପୀମାନେ ନିଜର ସୃଜନଶୀଳ ଢଙ୍ଗରେ ଅଙ୍କନ କରିଥିଲେ ।

ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ଅତିଥିଙ୍କୁ ସ୍ଵାଗତ କରିବା ସହିତ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଜେନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦର୍ଶନୀ ଅବସରରେ ବାଲେଶ୍ଵର, ଚିତ୍ରଶିଳ୍ପୀ ଅରୁଣ ଜେନା, ବିଶ୍ୱଜିତ ପ୍ରମାଣିକ, ଆନ୍ତର୍ଯ୍ୟରମୀ ସାହୁ, କବିତା ଦତ୍ତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଜେନା, କ୍ରିଷ୍ଣା ଦେବଗୋସ୍ୱାମୀ ପ୍ରମୁଖ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଉପସ୍ଥିତ ଥିଲେ । ପ୍ରଦର୍ଶନୀକୁ ଏକାଡ଼େମୀର ମରୁତ ରାଉତ ପରିଚାଳନା କରିଥିଲେ । ରେଣ୍ଟା ମାଝୀ, ତପନ ଦାସ, ରମାକାନ୍ତ, ଦେବେନ୍ଦ୍ର ଦାସ ସହଯୋଗ କରିଥିଲେ । ଏହି ପ୍ରଦର୍ଶନୀ ଡିସେମ୍ବର ୨୦ ତାରିଖ ସକାଳ ୧୧ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.

1 × three =