jayashree

ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

  • ଶ୍ରମିକ ଏବଂ କର୍ମଚାରୀଙ୍କ ଦୀର୍ଘଦିନର ଦାବିଗୁଡ଼ିକୁ ସମାଧାନ କରାଯାଉ : ଭାରତୀୟ ମଜଦୁର ସଂଘ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଦାବି ନେଇ ଆଜି ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗତ ୨୦୨୬ ଜୁଲାଇ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଞ୍ଚିଠାରେ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘର ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକରେ, ସଂଗଠିତ ଓ ଅସଂଗଠିତ ଶ୍ରମିକମାନଙ୍କର ଦୀର୍ଘଦିନର ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ତଥା ସରକାରଙ୍କ ଦୃଷ୍ଟିଗୋଚର କରିବା ଉଦ୍ଦେଶ୍ୟରେ ୨୦୨୬ ଅଗଷ୍ଟ ୧୭ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ ପାଇଁ ଆହ୍ୱାନ କରାଯାଇଥିଲା । ଏଥିରେ ଉତ୍ଥାପିତ ଦାବିଗୁଡ଼ିକ କେବଳ ମଜୁରୀ କିମ୍ବା ସେବା ସର୍ତ୍ତାବଳୀ ମଧ୍ୟରେ ସୀମିତ ନୁହେଁ । ଏଥିରେ ସାମାଜିକ ସୁରକ୍ଷା, ଶ୍ରମର ମର୍ଯ୍ୟାଦା, ଶ୍ରମିକ ସ୍ଵାର୍ଥରକ୍ଷା, ଉଚିତ ପାରିଶ୍ରମିକ, ନିରାପଦ କାର୍ଯ୍ୟ ପରିବେଶ, କର୍ମଚାରୀ ଓ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ସହିତ ଜଡ଼ିତ ଭାରତୀୟ ମଜଦୁର ସଂଘ ପକ୍ଷରୁ ତ୍ୱରିତ ସମାଧାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଦାବିଗୁଡିକ ମଧ୍ୟରେ ରହିଛି ଅଙ୍ଗନୱାଡି ଏବଂ ଆଶା କର୍ମୀମାନଙ୍କୁ କର୍ମଚାରୀ ମାନ୍ୟତା ସହିତ ସମ୍ମାନଜନକ ବେତନ ପ୍ରଦାନ । ଆଶା କର୍ମୀମାନଙ୍କୁ ପ୍ରସୂତିକାଳୀନ ଛୁଟି ପ୍ରଦାନ ସହିତ ପୂର୍ଣ୍ଣ ଦେୟ ପ୍ରଦାନ କରିବାର ନୀତି ପ୍ରଣୟନ କରିବା । ନିର୍ବାଚନ ପ୍ରତିଶୃତି ମୁତାବକ ଯଥାଶୀଘ୍ର ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ମାନଦେୟ ବୃଦ୍ଧି କରାଯିବାକୁ ଦାବି କରାଯାଇଛି । ଚୁକ୍ତି ଭିତ୍ତିକ ଓ ଠିକାକର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ପାଇଁ ସମାନ କାମ ପାଇଁ ସମାନ ଦରମା ଲାଗୁ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ବୃଦ୍ଧି ପାଉଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ସହିତ ତାଳଦେଇ ସର୍ବନିମ୍ନ ମଜୁରୀ ୩୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବାକୁ ଏଥିରେ ଉଲ୍ଲେଖ କରାଯାଇଛି । ଇପିଏସ୍ – ୯୫ ଅନ୍ତର୍ଭୁକ୍ତ ନ୍ୟୁନତମ ପେନସନକୁ ମାସିକ ୧୧,୦୦୦ରୁ ୧୭,୫୦୦ ଟଙ୍କାକୁ ବୃଦ୍ଧିକରିବା ସହିତ ମହଙ୍ଗା ଭତ୍ତା ଯୋଡ଼ିବା ଏବଂ ଏହାକୁ ଆୟୁଷ୍ମାନ ଭାରତ ଯୋଜନା ସହିତ ସଂଯୋଗ କରାଯିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଇପିଏଫ୍, ଇଏସ୍ଆଇସି ଏବଂ ବୋନସ ଗଣନା ଅଧୀନରେ ଥିବା ସମସ୍ତ ସୀମାକୁ ଦ୍ୱିଗୁଣିତ କରାଯିବାକୁ ଦାବି କରାଯାଇଛି । ପୁରୁଣା ପେନସନ ଯୋଜନାର ପୁନଃ ପ୍ରଚଳନ ସହିତ ଗ୍ରାଚ୍ୟୁଇଟି ଗଣନାକୁ ୧୫ ଦିନର ମଜୁରୀ, ବଦଳରେ କୌଣସି ସୀମାରେଖା ନରଖି ୩୦ଦିନର ମଜୁରୀକୁ ବୃଦ୍ଧି କରାଯିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ସେହିପରି ଶ୍ରମ ସଂହିତାରେ ଥିବା ସମସ୍ତ ଶ୍ରମିକ-ବିରୋଧୀ ନିୟମକୁ ହଟାଇବା ପାଇଁ ଆବଶ୍ୟକୀୟ ସଂଶୋଧନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଓଡିଶାର ବିଭିନ୍ନ ଉଦ୍ୟୋଗରେ ହୋଇଥିବା ବେଆଇନ୍ ଛଟେଇ ସବୁକୁ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଦାବିଗୁଡ଼ିକର ସମାଧାନ କେବଳ କର୍ମଚାରୀଙ୍କ ଜୀବନ ଧାରଣ ଏବଂ କାର୍ଯ୍ୟ ପରି ଦେଶରେ ସୁଧାର ଆଣିବ ନାହିଁ, ବରଂ କର୍ମଚାରୀ, ମାଲିକ ଏବଂ ସରକାରଙ୍କ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ସୌହାର୍ଦ୍ଦ ଓ ଉତ୍ପାଦନ ଶୀଳତାକୁ ମଧ୍ୟ ସୁଦୃଢ଼ କରିବା ସହିତ ସୁସ୍ଥ ବାତାବରଣ ଫେରାଇ ଆଣିବ ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ ଆଶାପୋଷଣ କରାଯାଇଛି । ଆଜି ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ପ୍ରଦାନ ସମୟରେ ଜ଼ିଲ୍ଲା ପ୍ରଭାରୀ ରାଜେନ୍ଦ୍ର ନାଥ ମହାନ୍ତ, ଜ଼ିଲ୍ଲା ସମ୍ପାଦକ ଅମର ଭୂୟାଁ, ଜ଼ିଲ୍ଲା ସଭାପତି ସଂଯୁକ୍ତା କାଲୋ, ଇସ୍ପାତ ସହ ଉଦ୍ୟୋଗ ପ୍ରଭାରୀ ହିମାଂଶୁ ଶେଖର ବଳ, ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ବାଦଲ ମହାରଣାଙ୍କ ସମେତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସମିତା ମିଶ୍ରଙ୍କ ନେତୃତ୍ୱରେ ରାଉରକେଲା ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଜ଼ିଲ୍ଲାରେ କାର୍ଯ୍ୟରତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ, ରାଉରକେଲା ଇସ୍ପାତ ଠିକା ମଜ଼ଦୂର ସଂଘ, ମୋଟର କର୍ମଚାରୀ ସଂଘ, ରାଉରକେଲା ଅଟୋ ମଜ଼ଦୂର ସଂଘ, ବୀରମିତ୍ରପୁର ଖଣି ମଜ଼ଦୂର ସଂଘ, ଗାଙ୍ଗପୁର ଶ୍ରମିକ ସଂଘ, ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ ଆସୋସିଏସନ, ଓଡିଶା ଆଶା କର୍ମଚାରୀ ସଙ୍ଘ, ଓଡିଶା ନିର୍ମାଣ ମଜ଼ଦୂର ସଂଘର ହଜାର ହଜାର କାର୍ଯ୍ୟକର୍ତ୍ତା ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ଶାନ୍ତିପୂର୍ଣ୍ଣ ଭାବେ ଏକ ଶୋଭାଯାତ୍ରାରେ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଆନ୍ଦୋଳନରେ ବିମଳା ଲାକ୍ରା, ସୁନନ୍ଦା ନାଥ, ସଂଜୀବ ପତି, ମାନସ ଦାସ, ନିରଞ୍ଜନ ପଟେଲ, ଅମର ଯୈସ୍ୱଲ, ଦୀନବନ୍ଧୁ ପାତ୍ର, କାଳିଚରଣ ଦାସ, ପ୍ରଦୀପ ସାହୁ, ପିନାକୀ ମହାନ୍ତି, ରାଜେଶ ଦାସ, ସତ୍ୟାନନ୍ଦ ଦାଶ, ଉମାକାନ୍ତ ସାମଲ, ଲଳିତ ସୁନ୍ଦର ଜେନା, ଜୟ ପ୍ରକାଶ ସ୍ୱାଇଁ, ପ୍ରବୀର ସ୍ୱାଇଁ, ସୁଶୀଲ ସେଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.