
ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ଏକ ସପ୍ତାହରୁ ଉର୍ଦ୍ଧ୍ଵ ସମୟ ଲାଗିରହିଥିବା ପ୍ରବଳ ବର୍ଷାରେ ଇସ୍ପାତ ସହରାଞ୍ଚଳରେ ଥିବା ସମସ୍ତ ବାସଗୃହ ଏବଂ ବସ୍ତି ଅଞ୍ଚଳରେ ବର୍ଷା ଜଳ ପଶିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା କି ଯେ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ସହକର୍ମୀ ମାନଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କୁ ରନ୍ଧା ଖାଦ୍ୟ, ପାଉଁରୁଟି, ଚୂଡ଼ା ଏବଂ ଗୁଡ଼ ଇତ୍ୟାଦି ବାଣ୍ଟିଥିଲେ । ତେବେ ଏ ସବୁର ମୂଳ କାରଣ ହେଲା ଇସ୍ପାତ ସହରାଞ୍ଚଳରେ ଥିବା ନାଳ ଗୁଡିକରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଜମି ହୋଇ ରହିଥିଲା । ଏହି ସମସ୍ୟାର ସମାଧାନ ଏବଂ ବାସ୍ତବିକତାର ଅନୁଧ୍ୟାନ କରିବା ପାଇଁ ଆଜି ରଘୁନାଥପାଲ୍ଲୀ ବିଧାୟକ ରାଉରକେଲା ଇସ୍ପାତ କାରଖାନା ସହରସେବା ପ୍ରଶାସନିକ ବିଭାଗ ଅନ୍ତର୍ଗତ ଟାଉନ ଇଞ୍ଜିନିୟରିଂ ବିଭାଗର ଅଧିକାରୀ ମାନଙ୍କ ସହିତ ସେକ୍ଟର-୧୭, ୬, ବିଦ୍ୟାନଗରୀ, ସମେତ ଇସ୍ପାତ ସହରାଞ୍ଚଳରେ ଥିବା ଏକାଧିକ ବର୍ଜ୍ୟ/ବର୍ଷା ଜଳ ନିଷ୍କାସନ ପାଇଁ ଉଦ୍ଧିଷ୍ଟ ନାଳ ନିକଟକୁ ଯାଇ ସମୀକ୍ଷା କରିବା ପରେ ଯୁଦ୍ଧ କାଳୀନ ଭିତ୍ତିରେ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଧାୟକ ଶ୍ରୀତନ୍ତୀ ରାଉରକେଲା ଇସ୍ପାତ କାରଖାନାର ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।