om academy

ଅପରାଧୀ ଜଗତରେ ବଲାଙ୍ଗିର ପୋଲିସର ବୁଲଡୋଜର ଆତଙ୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଜଗତରେ ବଲାଙ୍ଗିର ପୋଲିସର ବୁଲଡୋଜର ଆତଙ୍କ । ଅପରାଧଖୋର୍‌ ଅପରାଧୀଙ୍କ ଲମ୍ବା ତାଲିକା ନେଇ ଅଣ୍ଟା ଭିଡିଛି ବଲାଙ୍ଗିର ପୋଲିସ । ଜମି ମାଫିଆ ଟିମନ୍‌ କୁମ୍ଭାରଙ୍କ ଘର ଓ ଅଫିସକୁ ଗତକାଲି ଟାର୍ଗେଟ କରି ଧୂଳିସାତ କରାଯାଇଛି । ଗତକାଲି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଟିମନ୍‌ଙ୍କ ଲର୍କିପାଲି ସ୍ଥିତ ଆଲିସାନ ବଙ୍ଗଳା ଭଙ୍ଗା ଚାଲିଥିଲା । ସରକାରୀ ଜମିରେ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ଟିମନ୍‌ଙ୍କ ଆଲିସାନ ବଙ୍ଗଳା । ବଙ୍ଗଳାର ଭିତର ଡିଜାଇନ ଦେଖିଲେ ତାଜୁବ୍‌ ହୋଇଯିବ ଯେ’ କେହି ବି । କ୍ରିମିନାଲ କ୍ଲିନ୍‌ ମିଶନରେ ପଥରଚେପାଠାରେ ଥିବା ଟିମନ୍‌ଙ୍କ ମିଷ୍ଟର ଏସ୍‌.କେ. ଅଫିସ ଓ ଲର୍କିପାଲିରେ ଥିବା ଟିମନଙ୍କ ଆଲିସାନ ବଙ୍ଗଳା ଉପରେ ଗତକାଲି ଝପ୍‌ଟି ପଡିଥିଲା ବଲାଙ୍ଗିର ପୁଲିସର ବହୁଚର୍ଚ୍ଚିତ ବୁଲଡୋଜର । ଧୂଳିସାତ କରି ଦେଇଥିଲା ଟିମନଙ୍କ ଆଡ୍ଡା । ପୁଲିସ ସୂଚନା ଅନୁସାରେ ଗୁଣ୍ଡାଗିରି, ଜମି ହଡପ, ପ୍ରାଣାନ୍ତକ ଆକ୍ରମଣ, ମାର୍‌ପିଟ୍‌, ଧମକ୍‌ ଚମକ୍‌, ଜୋର ଜବରଦସ୍ତି ଜମି ଛଡେଇ ନେବା ଭଳି ମାଳ ମାଳ ମାମଲା ଟିମନଙ୍କ ନାମରେ ସ୍ଥାନୀୟ ଟାଉନ ଥାନା ଓ ସଦରଥାନାରେ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିମନଙ୍କ ନାଁରେ ଏନ୍‌ଏସ୍‌ଏ ମଧ୍ୟ ଲାଗୁ କରାଯାଇଥିଲା । ସବୁଠାରୁ ବଡକଥା ହେଲା, ପୂର୍ବରୁ ସରକାରୀ ଜମିରେ ଲର୍କିପାଲିରେ ରହିଥିବା ଟିମନଙ୍କ ଘରକୁ ବଲାଙ୍ଗିର ପୁଲିସ ପକ୍ଷରୁ ଭଙ୍ଗା ଯାଇଥିବା ବେଳେ ପୁଣି ସରକାରୀ ଜାଗାରେ ପ୍ରାୟ କୋଟିଏ ଟଙ୍କାରେ ଠିଆ ହୋଇଥିଲା ଟିମନଙ୍କ ଆଲିସାନ୍‌ ବଙ୍ଗଳା ଯାହାକୁ ଗତକାଲି ଧରାଶାୟୀ କରିଛି ବଲାଙ୍ଗିର ପୋଲିସ । ପଥରଚେପାଠାରେ ରହିଥିଲା ଟିମନଙ୍କ ମିଷ୍ଟର ଏସ୍‌.କେ. ଅଫିସ । ଲାଗିଥିଲା ବଡ ବଡ ସାଇନବୋର୍ଡ । ଗୋଟିଏ ସାଇନବୋର୍ଡରେ ଲେଖାଯାଇଥିଲା ‘ସୁଖ ଦୁଖର ସାଥୀ ମିଷ୍ଟର ଏସ୍‌.କେ. ଅଫିସ’ । ସାକ୍ଷାତ ସମୟ ମଧ୍ୟ ଲେଖାଥିଲା । ରବିବାର ଦିନ ଅଫିସ ବନ୍ଦ ରହିବ ବୋଲି ଉଲ୍ଲେଖ ଥିବା ବେଳେ କନ୍‌ଟାକ୍ଟ ନମ୍ବର ମଧ୍ୟ ଏଠାରେ ଦିଆଯାଇଥିଲା । ଅନ୍ୟ ଏକ ବଡ ସାଇନବୋର୍ଡରେ ‘ବିଶେଷ ସୂଚନା’ ପ୍ରଦାନ କରାଯାଇଥିଲା । ମିଷ୍ଟର ଏସ୍‌.କେ.ଅଫିସ କାହା କାହାକୁ ସାହାଯ୍ୟ କରିବ ଓ କେଉଁଥି ପାଇଁ ଚାନ୍ଦା ଦେବ, ତାହା ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ହୋଇଥିଲା । ମିଷ୍ଟର ଏସ୍‌.କେ. ଅଫିସକୁ ବି ଧୂଳିସାତ୍‌ କରି ଦେଇଛି ବଲାଙ୍ଗିର ପୁଲିସ ବୁଲଡୋଜର । ତେବେ ଆଜି ମଧ୍ୟ ଲର୍କିପାଲି ସ୍ଥିତ ଟିମନଙ୍କ ବଙ୍ଗଳା ଭଙ୍ଗା କାର୍ଯ୍ୟାନୁଷ୍ଠାନ ଜାରି ଥିବା ଜଣାପଡିଛି ।

Leave A Reply

Your email address will not be published.

seven − five =