
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଆଦିବାସୀ ବହୁଳ ବେଲପଡା ପଞ୍ଚାୟତ ବଡଗମଡା ଗ୍ରାମରେ ଧରଣୀ ମହୋତ୍ସବ ତଥା ପୋଢମରା ଯାତ୍ରା ତିନିଦିନ ବ୍ୟାପୀ ପାଳିତ ହୋଇଛି । ଏଥି ପାଇଁ ଗାଁରେ ବର୍ତ୍ତମାନ ଉତ୍ସବ ମୁଖର ହୋଇ ପଡିଛି । କନ୍ଧ ସମ୍ପ୍ରଦାୟର ଗାଭା ଜାନୀଙ୍କୁ ସ୍ୱାଗତ କରାଯାଇଥିଲା । ଧରଣୀ ମହୋତ୍ସବ ଧରଣୀ ଦେବତା ଟ୍ରଷ୍ଟ କମିଟି ସଭାପତି କ୍ଷୀରସିନ୍ଧୁ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ବେଲପଡା ପଞ୍ଚାୟତର ସରପଂଚ ଖରତ ବାଗ, ଜୁରାବନ୍ଧ ପଞ୍ଚାୟତର ସରପଂଚ ପ୍ରତିନିଧି ନରେଶ ସଗ୍ରିଆ, କର୍ଲାପଡା କଲେଜର ଅଧ୍ୟାପକ ରଂଜିତ ମେହେର, କନ୍ଧ ସଂସ୍କୃତି ଗବେଷକ ଅଜିତ କୁମାର ଭୋଇ, ଜିଲ୍ଲା କନ୍ଧ ସମାଜର ଯୁବ ସଂଗଠନ ସଭାପତି ସୁରେଶ ଭୋଇ, ପୂର୍ବତନ ସମିତି ସଭ୍ୟ କିଶୋର ବଘେଲ, ଯୁବ ସମାଜସେବୀ ସନ୍ତୋଷ ମେହେର, ନରେନ୍ଦ୍ର ଜାନୀ ପ୍ରମୁଖ ମଞ୍ଚାସୀନ ଥିଲେ । ଡିଙ୍ଗର ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତିଥି ଗଣ କନ୍ଧ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପାରମ୍ପରିକ ଡାକା ବାଦ୍ୟ, ଘୁମୁରା, ଘୁଡୁକା, ଢାପ ନୃତ୍ୟ ପରିବେଷିତ ହୋଇଥିଲା । ଏଥିରେ ବଡଗମଡା, ବେଲପଡା, ମାଲପଡା, ଚାଉଳିଆ, ଶରଧାପୁର ପାଞ୍ଚ ଖଣ୍ଡ ଗ୍ରାମର ଲୋକେ ମିଳିତ ଭାବେ ବଡଗମଡା ଗ୍ରାମର ଜାଡେନ ପୀଠରେ ଧରଣୀ ମହୋତ୍ସବ ପୋଢମରା ଯାତ୍ରା ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂଜାରୀ କୁଞ୍ଜ ଭୋଇ, ସଭାପତି କ୍ଷୀରସିନ୍ଧୁ ଭୋଇ, ସମ୍ପାଦକ ଜଗବନ୍ଧୁ ପୁଟେଲ, ଉପସଭାପତି ଦୁଲ୍ଲଭ ସଗ୍ରିଆ, ଉପଦେଷ୍ଟା ଡିଙ୍ଗର ଭୋଇ, ବୀର ଭୋଇ, ଛବିଲ ପୋଢ, ତାରାକାନ୍ତ ବରିହା, ସନ୍ତୋଷ ଭୋଇ, କୁମର ଭୋଇ ପ୍ରମୁଖଙ୍କ ସହ ପାଞ୍ଚଖଣ୍ଡ ଗ୍ରାମର ଗୌନ୍ତିଆ, ଝାଙ୍କର, ଗଣା ତଥା ବହୁ ଲୋକ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଲୋକେ ଅପେକ୍ଷା କରି ରହିଥାନ୍ତି । ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି ।