ଓଏମସି ଅଧିକାରୀଙ୍କ ‘ଶ୍ରଦ୍ଧା’ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଖଣି ନିଗମ (ଓଏମସି) ଫାଉଣ୍ଡେସନ ଦିବସ ଅବସରରେ କୋଇଡା ଶାଖାର ଆଞ୍ଚଳିକ ପରିଚାଳକ ପ୍ରଦ୍ୟୁମ୍ନ କୁମାର ନାୟକ, ମେଡିକାଲ ଅଫିସର ଡ଼ା. ସାବିତ୍ରୀ ବାଲା ମୁଣ୍ଡା, ପ୍ରଦୀପ କୁମାର ବେହେରା, ସୁଜାତା ରଣା, ସଞ୍ଜୟ କୁମାର ପ୍ରଧାନ ଓ ଆରତୀ ବାର୍ଲା ପ୍ରମୁଖ ଉପସ୍ଥିତ ରହି ସେକ୍ଟର ୧୬ର ଶ୍ରଦ୍ଧା ଅନୁଷ୍ଠାନର ଭିନ୍ନକ୍ଷମ ପିଲାମାନଙ୍କ ସହିତ ମିଶି ସେମାନଙ୍କ ସହିତ ବାର୍ତ୍ତାଳାପ କରିବା ସଙ୍ଗେ ସଙ୍ଗେ ଉତ୍ସାହ ପ୍ରଦାନ କରିଥିଲେ । ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଦ୍ଵାରା ଆୟୋଜିତ ସଭାରେ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ସମାଜରେ ଏହିଭଳି ଭିନ୍ନକ୍ଷମମାନଙ୍କ ପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଲା ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ କରିବା । ଅଳ୍ପ ସମୟ ହେଲେ ବି ଏମାନଙ୍କ ସହିତ ମିଶି ଯେଉଁ ଆନନ୍ଦ ଅନୁଭବ ଆମ ମନରେ ଆସିଛି ତାହା ଖୁବ୍ ପ୍ରେରଣାଦାୟୀ । ଶ୍ରଦ୍ଧାର ଆବଶ୍ୟକ ଅନୁଯାୟୀ ସେ ସହଯୋଗର ‌ହାତ ବଢାଇବେ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ବାଲା ମୁଣ୍ଡା କହିଥିଲେ ଯେ, ଏହିଭଳି ପିଲାମାନଙ୍କର ସ୍ଵତନ୍ତ୍ର ଭାବେ ଯତ୍ନ ନେବାର ଆବଶ୍ୟକତା ଅଛି । ଶ୍ରଦ୍ଧାର କାର୍ଯ୍ୟକ୍ରମକୁ ଆଗକୁ ନେବାରେ ଆମକୁ ମଧ୍ୟ ତାଙ୍କ ସହିତ ମିଶି ଏହି ପିଲାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା କରିବାର ଅଛି । ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ଏହି ପିଲାମାନଙ୍କ ପାଇଁ ଆମେ ଗୁଣ୍ଡିଚା ମୂଷା ଭଳି ସହଯୋଗ କରିପାରିଲେ ଆମେ ନିଜକୁ ଧନ୍ୟ ମଣିବୁ । ଏହି କାର୍ଯ୍ୟକ୍ରମରେ ଖଣି ନିଗମର ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ କୁମାର ପ୍ରଧାନ, ସୁଜାତା ରଣା ଓ ଆରତୀ ବାର୍ଲା ଓ ଶ୍ରଦ୍ଧାର ଉପଦେଷ୍ଟା କମିଟିର ସଦସ୍ୟ ରବୀନ୍ଦ୍ର କୁମାର ପାଣ୍ଡବଙ୍କ ସମେତ ବହୁ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ପାଣ୍ଡବ ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ ତଥା ଶ୍ରଦ୍ଧାର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଖଣି ନିଗମର ଫାଉଣ୍ଡେସନ ଦିବସ ପାଳନ ଉପଲକ୍ଷେ ଏକ ସାମୁହିକ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା ଏବଂ ଶ୍ରଦ୍ଧା ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ନୂତନ ବସ୍ତ୍ର ଓ ଏକ ଷ୍ଟେବଲାଇଜର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଞ୍ଜଳି ମହାରଣା, ସୁଜାତା ରାଉତ, ପ୍ରଭାତୀ ପ୍ରଧାନ, ଇତିଶ୍ରୀ ଦାସ, ମନୋଜ ରାୟ, ସୁକୁମାର ପାଣ୍ଡବ ଓ ଧୀରେନ୍ଦ୍ର ଓଝା ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

seventeen − 7 =