ରେଳବାଇର ଅବହେଳାକୁ ବରଦାସ୍ତ କରାଯିବ ନାହିଁ, ଦାବୀ ହାସଲ ପାଇଁ ସମ୍ମିଳିତ ଲଢେଇର ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପ୍ରତି ରେଳବାଇର କ୍ରମାଗତ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ସ୍ଥଳେ ଏଥିପାଇଁ ସମ୍ମିଳିତ ଭାବେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ଭାରତୀୟ ରେଳ ବିଭାଗର ଆମ ପ୍ରତି ଅବହେଳା ଓ ରେଳର ବିକାଶ ପାଇଁ ସଂଗ୍ରାମ ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି । ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ବରିଷ୍ଠ ସଦସ୍ୟ ଅଭୟ କୁମାର ଦାସଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଆଲୋଚନାଚକ୍ରକୁ ପରିଚାଳନା କରିଥିବା ବେଳେ ରାଉରକେଲା ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି ବୈଠକର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି କହିଥିଲେ, ଏ ଅଂଚଳରୁ ବିପୁଳ ରାଜସ୍ୱ ପାଉଥିବା ରେଳବାଇ ବିଭାଗ କ୍ରମାଗତ ଭାବେ ଜିଲ୍ଲା ପ୍ରତି ଅବହେଳା କରିବା ଦୁର୍ଭାଗ୍ୟଜନକ । ଏହି ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ, ଯୁବ, ଛାତ୍ର, ମହିଳା ସଂଗଠନ ଏକତ୍ରିତ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିବା ସହିତ ଜିଲ୍ଲାର ସମସ୍ତ ବିଧାୟକ ଓ ଜନ ପ୍ରତିନିଧିମାନେ ଏହି ଦାବୀ ପ୍ରତି ସେମାନେ ସମର୍ଥନ ଓ ସମ୍ମତି ଦେଇଥିବା ସେ ସୂଚନା ଦେଇଥିଲେ । ବିଶେଷ କରି ରାଉରକେଲା ଗସ୍ତରେ ଆସିଥିବା ଚକ୍ରଧରପୁର ଡିଆର୍‌ଏମ୍ ରାଉରକେଲାରେ ରେଳ ଡିଭିଜନ ହେଲେ ଏଠାରେ ଲୋକଙ୍କ କ୍ଷତି ହେବ ବୋଲି ମନ୍ତବ୍ୟ ଦେବା ଅଞ୍ଚଳବାସୀଙ୍କ ଆନ୍ଦୋଳନ ଓ ଭାବାବେଗକୁ ଆଘାତ ଦେଇଛି ବୋଲି ଶ୍ରୀ ମହାନ୍ତି କହିଥିଲେ । ମୁଖ୍ୟବକ୍ତା ଡ. ପ୍ରଭାତ ମଲ୍ଲିକ ଜିଲ୍ଲାର ଭୌଗଳିକ ସ୍ଥିତି, ରେଳବାଇ ବିକାଶର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସିପିଆଇଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଙ୍ଗ କମିଟିର ଅଧ୍ୟକ୍ଷ ଗୁରମିତ ସିଂହ, ରେଳ ଓ ସଡ଼କ ଉପଯୋଗକାରୀ ସଂଘ ସଭାପତି ଉତ୍ତମ କୁମାର ସାମଲ, ଉପ ସଭାପତି ଅମୁଲ୍ୟ ଚରଣ ବରାଳ, ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ଏଆଇଟିୟୁସି ସଂପାଦକ ରମେଶ ସେଠୀ, ରାଉରକେଲା ମଜଦୁର ସଭା ଉପ ସଭାପତି ପ୍ରମୋଦ ଦାସ, ଆମ୍ ଆଦମୀ ପାର୍ଟିର ନେତା ଭରତ ବାଇ, ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ତଥା ଜଗଦା ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ସଂଜୀବ ମହାନ୍ତି, କଲୁଙ୍ଗା ବିକାଶ ପରିଷଦର ସାଧାରଣ ସମ୍ପାଦକ ଆକୁଳି ପ୍ରଧାନ, ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଦଲଜିତ ସିଂ ସାନ୍ଧୁ, ବଣିକ ସଂଘର ରେଳ ସମନ୍ୱୟ କମିଟିର ଋଷି ଆର୍ଯ୍ୟ, କଲଚରାଲ ଏକାଡେମୀର ସାଧାରଣ ସମ୍ପାଦକ ଅକ୍ଷୟ ସାମଲ, ବିହାର ସାଂସ୍କୃତିକ ପରିଷଦର ସଭାପତି ଅରୁଣ ସିଂହ ପ୍ରମୁଖ ଆଲୋଚନାରେ ବକ୍ତବ୍ୟ ରଖି ଏହି ଦାବୀକୁ ସମର୍ଥନ ଘୋଷଣା କରିବା ସହିତ ଏକାଠି ହୋଇ ଆନ୍ଦୋଳନ ପାଇଁ ପ୍ରତିଶୃତି ଦେଇଥିଲେ । ରାଉରକେଲାକୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା, ତାଳଚେର-ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା, ରାଉରକେଲା, ପାନପୋଷ, କଲୁଙ୍ଗା, ରାଜଗାଙ୍ଗପୁର, ବିମଳାଗଡ, ଗୋପନା, ରକ୍ସି, କିରିବୁରୁ ମେଗାତବୁରୁ, କୁଆଁରମୁଣ୍ଡା, ବୀରମିତ୍ରପୁର, ବିଶ୍ରା, ବନ୍ଧମୁଣ୍ଡା, ଜରେଇକେଲା, ବାଙ୍ଗୁରୁକେଲା, ରେଳ ଷ୍ଟେସନ ଗୁଡ଼ିକର ଉନ୍ନତିକରଣ, ସୁନ୍ଦରଗଡ଼ ଜିଲ୍ଲାର ସଦରମହକୁମାକୁ ରେଳ ସଂଯୋଗ ବ୍ୟବସ୍ଥା କରାଯିବା ଉପରେ ବକ୍ତାମାନେ ଗୁରୁତ୍ଵ ଦେଇଥିଲେ । ରାଉରକେଲା ରେଳ ଡିଭିଜନ ପ୍ରସଙ୍ଗରେ ଡିଆର୍‌ଏମ୍‌ଙ୍କ ବକ୍ତବ୍ୟକୁ ବୈଠକରେ ଦୃଢ଼ ପ୍ରତିବାଦ କରାଯାଇଥିବା ବେଳେ ଏଭଳି ମନ୍ତବ୍ୟକୁ ଆସନ୍ତା ଦିନରେ ଦୃଢ଼ ବିରୋଧ କରାଯିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସମସ୍ତ ରେଳ ଦାବୀକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ଦାବୀ ପ୍ରତି ଯଥା ଶୀଘ୍ର କେନ୍ଦ୍ର ରେଳ ବିଭାଗ ପଦକ୍ଷେପ ନ ନେଲେ ଆନ୍ଦୋଳନ ବ୍ୟାପକ କରିବାକୁ ଆହ୍ୱାନ କରାଯାଇଥିଲା । ଆଲୋଚନା ସଭା ପ୍ରାରମ୍ଭରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ କବି ଆର୍ତ୍ତତ୍ରାଣ ମହାପାତ୍ର ଆବାହନି କବିତା ପାଠ କରିଥିଲେ । ଶେଷରେ ସୁରକ୍ଷା କମିଟିର ସଦସ୍ୟ ଆଇନଜୀବୀ ରାଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

five × five =