ଟିଟିଲାଗଡ଼ ଟାଙ୍ଗରପଡା ଜବରଦଖଲ ଉଚ୍ଛେଦ ପରେ ବିସ୍ଥାପିତ ଏବେ ଅସହାୟ, ପୌରାଧ୍ୟକ୍ଷା କଲେ ନିନ୍ଦା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଟାଙ୍ଗରପଡା ଜବରଦଖଲ ଉଚ୍ଛେଦ ପରେ ବିସ୍ଥାପିତ ଏବେ ଅସହାୟ । ପୌରାଧ୍ୟକ୍ଷା ଏଭଳି ପ୍ରଚଣ୍ଡ ଖରାରେ ଜବର୍‌ଦଖଲ୍‌ ଉଚ୍ଛେଦକୁ ନିନ୍ଦା କରିଛନ୍ତି । ଟିଟିଲାଗଡ଼ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ସରିବା ପରେ ଓଭର ବ୍ରିଜ ନିକଟସ୍ଥ ଚିହ୍ନଟ ହୋଇଥିବା ସ୍ଥାନକୁ ପୌର ପରିଷଦ ପକ୍ଷରୁ ପ୍ରଶାସନର ସହାୟତାରେ ସୋମବାର ଦିନ ଜବରଦଖଲ ଉଚ୍ଛେଦ କରାଯାଇଛି । ଜବରଦଖଲ ଉଚ୍ଛେଦ ପରେ ବିସ୍ଥାପିତ ପରିବାର ଏବେ ସରକାରଙ୍କ ସହାୟତା ଅପେକ୍ଷାରେ । ବିସ୍ଥାପିତ ଲୋକଙ୍କ ଘର ଭାଙ୍ଗିବା ପରେ ସେମାନେ ନିଜ ନିଜ ଜିନିଷ ପତ୍ର ଧରି ପାଖରେ ଥିବା ଚାଷ ଜମି, ଗଛ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳୁଛି । କିଛି ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଯେ, ସହରରେ ଏତେ ସମାଜସେବୀ, ନେତା, ମନ୍ତ୍ରୀ ଥାଇ ମଧ୍ୟ ଆମର ଦୁଃଖ କାହାକୁ ଦିଶିଲାନି, କିଏ ପାଣି ଟୋପାଏ ବି ଦେଲେନି, ସତେ ଯେମିତି ଆମେ ଅନୁପ୍ରବେଶକାରୀ ।

ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ବିଶିଷ୍ଟ ସହର ହେଲା ଟିଟିଲାଗଡ଼ । ଏଠାରେ ସକାଳ ୯ଟା ହେଲେ ଗରମ ଝାଞ୍ଜିରେ ଡ଼ହକ ବିକଳ ହୋଇଯାଉଛନ୍ତି ଲୋକେ । ସୋମବାର ୪୪ ଡିଗ୍ରୀ ଖରାରେ ଉତ୍ତପ୍ତ ଥିଲା ସହର । ଏମାନଙ୍କ ଦୁଃଖ ବୁଝିବ କିଏ ? କିଛି ବିସ୍ଥାପିତ ମହିଳାଙ୍କ ଦାବୀ ଯେ, ସରକାର ମୋ’ ଜାଗା ମିଶନ ଅନ୍ତର୍ଗତ ଆମକୁ ଆଗ ଥଇଥାନ କରି ଭାଙ୍ଗି ଥିଲେ ଭଲ ହୋଇଥାନ୍ତା । ଆମକୁ ଥଇଥାନ କରାଯାଉ ବୋଲି ଦାବୀ କରିଛନ୍ତି । ଅନ୍ୟ ପଟେ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଏହା ଭଙ୍ଗାଯାଇଛି, ମୁଁ ତ’ ଉପଜିଲ୍ଲାପାଳଙ୍କୁ ଜାଗା ଖାଲି କରିବାକୁ ସମୟ ମାଗିଥିଲି । ଏବେ ପ୍ରଶାସନ ପକ୍ଷରୁ ଏହା ଉଚ୍ଛେଦ କରାଯାଇଛି, ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି । ଏଠାରେ ଗୋଟିଏ କଥା ବିକାଶ ପାଇଁ ଉଚ୍ଛେଦ ଜରୁରୀ, କିନ୍ତୁ ଥଇଥାନ ଆଗ କରିଥିଲେ ଲୋକେ ଏତେ ଅସୁବିଧାର ସମ୍ମୁଖିନ ହୋଇ ନ ଥାଆନ୍ତେ ବୋଲି ସହରରେ ଆଲୋଚନା ହେଉଛି ।

Leave A Reply

Your email address will not be published.

4 × two =