
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକସ୍ତରୀୟ ଅନ୍ତର୍ନିବେଶି ଶିକ୍ଷା ଓ ଶ୍ରେଣୀ ପରିଚାଳନା ତାଲିମ ଶିବିର ଅଜୀମ ପ୍ରେମଜୀ ଫାଉଣ୍ଡେସନ ଓ “ରେଆର୍” ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ତୁଷୁରା ଓ ଗୁଡଭେଲା ଠାରେ ଅନୁଷ୍ଠିତ ହୋଇଯାଇଛି । ତୁଷୁରା ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଆର୍ସିସି ଶ୍ୟାମ ସୁନ୍ଦର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ଉଦ୍ଘାଟକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଆର୍ଟି ଜୁଲ୍ ଫିକର୍ ଖାନ୍ ସାଧନ କର୍ମୀ ଭାବେ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ଡ. ଅନୁପ କୁମାର ମେହେର ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ କ୍ଷେତ୍ର ଲାଲ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଠିକ୍ ସେହିପରି ଗୁଡଭେଲା ଠାରେ ତେନ୍ତୁଳି ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରେନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଓ ସୁଶାନ୍ତ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଶିକ୍ଷକ ଭାବେ ନନ୍ଦି କିଶୋର ଷାଣ୍ଢ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ସଂଯୋଜକ ମୁକେଶ କୁମାର ଯୋଶୀ ସଭା ସଞ୍ଚାଳନ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ରେଆର୍ କୋଷାଧ୍ୟକ୍ଷ ରୋହିତ କୁମାର ଦିଶାରୀ ଓ ବିଶ୍ୱଜିତ ପାଢୀ ମଞ୍ଚାସୀନ ଥିଲେ । ସମୁଦାୟ ୮ଟି ପଞ୍ଚାୟତ ଓ ତୁଷୁରା ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ମୋଟ ୯୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ । ରେଆର୍ ଅନୁଷ୍ଠାନର ନୀଳାମ୍ବର ସାହୁ, ଅବନୀ ସାମଲ ଓ ଦୟାନିଧି ରଣା ସହଯୋଗ କରିଥିଲେ ।