
କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡିରେ ଲଗାଣ ବର୍ଷା ପରେ ବଢ଼ିବାରେ ଲାଗିଛି ହାତୀ ଓ ଇନ୍ଦ୍ରାବତୀ ନଦୀର ଜଳସ୍ତର । ପ୍ରବଳ ବର୍ଷା ଯୋଗୁଁ ହାତୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ସ୍ଥିତିକୁ ନଜରରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଛି ଇନ୍ଦ୍ରାବତୀ ବିଭାଗ । କଳାହାଣ୍ଡିରେ ଲଗାଣ ବର୍ଷାର ପ୍ରଭାବ । ବଢ଼ୁଛି ହାତୀ ଓ ଇନ୍ଦ୍ରାବତୀ ନଦୀର ଜଳସ୍ତର । ଥୁଆମୂଳ ରାମପୁରରେ ସର୍ବାଧିକ ୩୪୫ ମିଲିମିଟର ଏବଂ ଜୟପାଟଣା ବ୍ଲକରେ ୨୪୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ପରେ ଇନ୍ଦ୍ରାବତୀ ଜଳଭଣ୍ଡାରର ହାତୀ ବ୍ୟାରେଜରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରାୟ ୪୧୨ କ୍ୟୁମେକ୍ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଏହାର ପ୍ରଭାବରେ ହାତୀ ନଦୀର ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ନଦୀର ତଳମୁଣ୍ଡରେ ଥିବା ଗାଁଗୁଡ଼ିକୁ ସତର୍କ ସୂଚନା ଜାରି କରିଛି ଇନ୍ଦ୍ରାବତୀ ବିଭାଗ । ଲୋକଙ୍କୁ ନଦୀ ନିକଟକୁ ନଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଜାରି ରହିଲେ ହାତୀ ନଦୀ ସମେତ ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ଜଳସ୍ତର ବଢ଼ିପାରେ । ତେଣୁ ସମ୍ଭାବ୍ୟ ବନ୍ୟାକୁ ନେଇ ଏବେ ଚିନ୍ତାରେ ନଦୀକୂଳିଆ ଅଞ୍ଚଳବାସୀ ।