
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଧାନଚାଷ ପରବର୍ତ୍ତୀ ପଡିଆ ଜମି ପରିଚାଳନା ସମ୍ବନ୍ଧୀୟ ଏକ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ସୁଜିଆ ଗ୍ରାମ, ବାଦିମୁଣ୍ଡା ପଂଚାୟତର କୁଟୁରାପାଲି ଗ୍ରାମ ଓ କୁଟେନପାଲି ପଂଚାୟତର ପଣ୍ଡରାଣୀ ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ ବଡ଼ପଣ୍ଡା, ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ରୋହନ କୁମାର ସାହୁ, “ରାଇଟସ” ପ୍ରଶିକ୍ଷକ ତଥା ସହକାରୀ କୃଷି ଅଧିକାରୀ ପିକେଶ୍ ତ୍ରିପାଠୀ, ଦେଓଗାଁ ବ୍ଲକ ସହକାରୀ କୃଷି ଅଧିକାରୀ ତନ୍ମୟ କୁମାର ମୁନା ପ୍ରମୁଖ ଯୋଗଦେଇ ଧାନ ଅମଳ ପରବର୍ତ୍ତୀ ପଡିଆ ଜମିର ସଠିକ୍ ପରିଚାଳନା, ମାଟିର ଉର୍ବରତା ବୃଦ୍ଧି ଓ ପରବର୍ତ୍ତୀ ଫସଲ ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ଆବଶ୍ୟକ ପ୍ରୟୋଗାତ୍ମକ ତଥ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିସହିତ ସାଂପ୍ରତିକ ପରିସ୍ଥିତିରେ ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ ସାରର ବ୍ୟବହାର ଉପରେ ଚାଷୀଙ୍କୁ ବୁଝାଇଥିଲେ । ଏହି ଶିବିରରେ ସରପଞ୍ଚ କିରଣ ସାହୁ, ଭିଏଡବ୍ଲୁ ସୁକାନ୍ତି ମହାନନ୍ଦ, ଧରିତ୍ରୀ ସାହୁ, ପିଙ୍କୁ ସାହୁ, କୃଷକ ସାଥୀ ଲକ୍ଷ୍ମୀ ରଣା, କମ୍ବୁପାଣୀ ରଣା, ସ୍ୱେଚ୍ଛାସେବୀ ସଂଗଠନ “ଆଦର୍ଶ”ର କ୍ଷେତ୍ର ସଂଯୋଜକ ଶୋଭାବନ ପଟେଲ, ସନ୍ଧ୍ୟାରାଣୀ ସାହୁ, ସୁନନ୍ଦା ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ ।