
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜ ସଦର ବ୍ଲକ ଅଞ୍ଚଳର ପୂର୍ବତନ ସଭାପତି ତଥା ସମାଜସେବୀ ଯୋଗେଶ ଚନ୍ଦ୍ର ବିଶିଙ୍କ ଗତ ଗୁରୁବାର ଦିନ ପରଲୋକ ଘଟିଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହେଉଥିଲା । ଶେଷ ସମୟରେ ତାଙ୍କର ପରିବାରର ସମସ୍ତେ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜନକପୁର ଗ୍ରାମରେ ଜନ୍ମଲାଭ କରିଥିବା ସ୍ଵର୍ଗତ ଯୋଗେଶ ନିଜର ଉଦାରତା ଏବଂ ମାନବିକତା ଗୁଣ ଯୋଗୁଁ ସମସ୍ତଙ୍କର ଆଦୃତ ହୋଇପାରିଥିଲେ । ଜଣେ ସମାଜସେବୀ ଭାବରେ ନିଜର ଜୀବନକୁ ପରୋପକାର ପାଇଁ ଉତ୍ସର୍ଗ କରିଥିଲେ । ବଲାଙ୍ଗିର ଜିଲ୍ଲା ସଦର ବ୍ଲକର ଯାଦବ ସମାଜର ସଭାପତି ଦାୟିତ୍ଵ ମଣ୍ଡନ କରି ସମାଜର ଉନ୍ନତି ପାଇଁ କାମ କରିଥିଲେ । ସ୍ଵର୍ଗତ ଯୋଗେଶ ଗତ ୬ ମାସ ହେବ ବ୍ରେନ୍ଷ୍ଟ୍ରୋକ୍ରେ ପୀଡିତ ହେବାରୁ ଜନକପୁର ସ୍ଥିତ ବାସଭବନରେ ଶଯ୍ୟାଶାୟୀ ଥିଲେ । ଗତ ଗୁରୁବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍କୁ ଆଣିଥିଲେ । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଜନକପୁର ଗାଆଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ପୁଅ ବେଣୁଧର ବିଶି ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ଜିଲ୍ଲା ଯାଦବ ସମାଜ ତଥା ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।