
କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମର ଶୁକଦେବ ଧରୁଆ (୫୫) ଜଘନ୍ୟ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କୋକସରା ଥାନା ପୁଲିସ । ଗତ ରବିବାର ବିଳମ୍ବିତ ରାତିରେ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡରେ ମଶାରୀ ଟାଙ୍ଗି ଶୋଇଥିବା ଅବସ୍ଥାରେ ଶୁକଦେବକୁ ହତ୍ୟା କରାଯାଇଥିବା ନେଇ ସମ୍ପର୍କୀୟ ଭାଇ ଧନନ୍ତରୀ ଧରୁଆ ଓ ଝିଅ ରୁକ୍ମିଣୀ ଧରୁଆ ଅଭିଯୋଗ କରିଥିଲେ । କୋକସରା ପୁଲିସ ସାଇଣ୍ଟିଫିକଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରି ଏହି ମାମଲାରେ ଜଣେ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା ଜାରି ରଖିଥିଲେ । ପରବର୍ତ୍ତୀ ସମୟରେ ପୁଲିସକୁ ହତ୍ୟା ନେଇ କିଛି ଠୋସ ପ୍ରମାଣ ମିଳିବା ପରେ ମଙ୍ଗଳବାର ରାତିରେ ଚଢ଼ାଉ କରି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କାଠବେଡା ଗ୍ରାମର ବାସିନ୍ଦା ଏବଂ ମୃତକ ଶୁକଦେବ ଧରୁଆଙ୍କ ନିଜ ଜ୍ୱାଇଁ ଡିଙ୍ଗର ମାଝୀଙ୍କୁ ହତ୍ୟା କରିଥିବା ନେଇ ପୁଲିସ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ଜ୍ୱାଇଁ ମଧ୍ୟ ହତ୍ୟା କରିଥିବା ନେଇ ପୋଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି । ବୁଧବାର ଅଭିଯୁକ୍ତ ମର୍ଡର ସିନ ରିକ୍ରିଏସନ କରି କେମିତି ହତ୍ୟା କରିଥିଲା ତାହା ଦେଖାଇଥିଲା । ତେବେ ପାରିବାରିକ କଳହକୁ ନେଇ ନିଜ ଶଶୁରଙ୍କୁ ଜ୍ୱାଇଁ ହତ୍ୟା କରିଥିବା ପୁଲିସର ତଦନ୍ତରୁ ଜଣାପଡ଼ିଛି । ଘଟଣା ଦିନ ରାତିରେ ଶ୍ୱଶୁର ଶୁକଦେବ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡରେ ଶୋଇଥିବା ଅବସ୍ଥାରେ ଜ୍ୱାଇଁ ଡିଙ୍ଗର ମାଝୀ ଅତି ନିର୍ମମ ଭାବେ ଶାବଳରେ ବେକ ଓ ମୁଣ୍ଡରେ ଭୁଷିବାରୁ ଘଟଣାସ୍ଥଳରେ ଶୁକଦେବଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କେଶ ନମ୍ବର ୧୩୫/୨୬ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ଏସ୍ଆଇ ଡି. ମୋହନ ସୂଚନା ଦେଇଛନ୍ତି ।
