ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ : ଅସହ୍ୟ ତାତିରେ ମନମୁଖୀ ବିଦ୍ୟୁତ କାଟ ଯୋଗୁଁ ଲୋକେ ଡହଳ ବିକଳ, ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ଗତ କିଛି ସପ୍ତାହ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଅସହ୍ୟ ତାତି ଅନୁଭୂତି ହେଉଥିବା ବେଳେ ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ ଅଛି । ଏପରି ସ୍ଥଳେ ବିଦ୍ୟୁତ ବିଭାଗର ବାରମ୍ବାର ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଯୋଗୁଁ ଲୋକେ ଡହଳ ବିକଳ ହୋଇ ତ୍ରାହି ତ୍ରାହି ଡାକୁଛନ୍ତି । ଏପରି ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ରତର ଅସନ୍ତୋଷ ଦେଖାଦେଲନି । ପ୍ରକାଶ ଯେ, ଏହି ଗ୍ରୀଷ୍ମ ପ୍ରବାହ ଯୋଗୁଁ ସଇଁତଲା ସହରରେ ସକାଳ ୯ ଘଣ୍ଟା ପରେ ଘରୁ ବାହାରିବାକୁ ଭୟ ଲାଗୁଛି । ତାତିର ପ୍ରକୋପ ଯୋଗୁଁ ବାହାରକୁ ବାହାରିଲେ ଦେହ ହାତ ସିଜି ଯାଉଥିବା ବେଳେ ମୁଣ୍ଡ ଉପରେ ଅଗ୍ନି ବର୍ଷା ହେଉଛି । ମୁହଁ ଓ ଶରୀରକୁ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ମୁହଁରେ ଗାମୁଛା ବାନ୍ଧି ଯାଉଥିବାର ଦେଖିବାକୁ ମିଳୁଛି । ଏପରିକି ଦିନ ବେଳା ତାତି ବଢୁଥିବାରୁ ସହରବାସୀ ଘରୁ ବାହାରିବା କଷ୍ଟକର ହୋଇପଡିଥିବା ସହ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସହରର ଅଧିକାଂଶ ଦୋକାନ ବଜାର ମଧ୍ୟ ବନ୍ଦ ରହୁଅଛି । ଏହି ତାତି ଯୋଗୁଁ ୨୬ ନଂ ଜାତୀୟ ରାଜପଥ ମଧ୍ୟ ଖାଁ ଖାଁ ଲାଗୁଛି । ଲୋକେ ସନ୍ଧ୍ୟା ୬ ଘଣ୍ଟା ପରେ ଘରୁ ବାହାରୁଛନ୍ତି । କେବଳ ଖାଲି ଦିନବେଳା ଗରମ ନୁହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗରମ ରହୁଥିବାରୁ ଜନସାଧାରଣ ଛଟପଟ ହେଉଛନ୍ତି । ଏପରି ସ୍ଥଳେ ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟ ହେଉଥିବାରୁ ଲୋକେ ଅତିଷ୍ଠ ହୋଇଗଲେଣି ବୋଲି ମତପ ପ୍ରକାଶ ପାଉଛି । ଗତ ମଙ୍ଗଳବାର ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ବିଦ୍ୟୁତ ଚାଲିଯିବା ପରେ ଦୀର୍ଘ ୬ ଘଣ୍ଟା ଅର୍ଥାତ ରାତି ୧୦ଟାରେ ଆସିଲା । ଏପରି ବାରମ୍ବାର ବିଦ୍ୟୁତ କାଟକୁ ନେଇ କୋଣସି ସୂଚନା ନ ଦେଇ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ବିଦ୍ୟୁତ କାଟକୁ ରୋକିବା ସହିତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳର ଜନସାଧାରଣ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.

8 − 7 =