
ରାଉରକେଲା, (କେପିଏନ୍ଏସ୍) : ବିଶ୍ୱ ଆଦିବାସୀ ଦିବସ ଅବସରେ ନାଇକେନବାହାଲ, କୁଆରମୁଣ୍ଡା ଠାରେ ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ସମାଜକୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକଙ୍କୁ ପରମ୍ପରାଗତ ରୀତିନୀତି ଅନୁସାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଦିବାସୀ ଭାଇ ଭଉଣୀମାନେ ନିଜ ପରମ୍ପରାଗତ ନୃତ୍ୟ ଏବଂ ସଂଗୀତ ପ୍ରଦର୍ଶନ କରି ପରିବେଶକୁ ଆକର୍ଷଣୀୟ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ତିର୍କୀ କହିଲେ ଯେ, ଆଦିବାସୀ ସମାଜ ଆମ ଦେଶ ଓ ରାଜ୍ୟର ମୂଳ ଚିହ୍ନ । ପ୍ରକୃତିର ସଂରକ୍ଷଣ, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାରେ ଆଦିବାସୀ ଭାଇ ଭଉଣୀମାନଙ୍କର ବଡ଼ ଭୂମିକା ରହିଛି । ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ଜଙ୍ଗଲ, ଜଳ, ଜମି ଅଧିକାର ରକ୍ଷା ପାଇଁ ସବୁବେଳେ ପ୍ରତିଶୃତିବଦ୍ଧ । ସେ ଆହୁରି ମଧ୍ୟ କହିଥିଲେ ଯେ, “କୁଆରମୁଣ୍ଡା ଅଞ୍ଚଳର ବିକାଶ ପାଇଁ ରାସ୍ତା, ପାନୀୟ ଜଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରେ ଆହୁରି ଅଧିକ ପଦକ୍ଷେପ ନିଆଯିବ । ଆଦିବାସୀ ଯୁବପିଢ଼ି ଶିକ୍ଷା ଏବଂ କ୍ରୀଡ଼ା ମାଧ୍ୟମରେ ଆଗକୁ ବଢ଼ି ଅଞ୍ଚଳର ନାମ ଉଜ୍ଜ୍ୱଳ କରନ୍ତୁ ।” କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରିମିସ କେରକେଟା, ସମାଜ ସେବୀ ସଂଜୀବ ପ୍ରତାପ ସିଂ, କୁଆଁରମୁଣ୍ଡା ଜିଲ୍ଲା ପରିଷଦ ରାଜେନ୍ଦ୍ର କୁଜୁର, ଅନେକେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବିଜେଡିର ବରିଷ୍ଠ କର୍ମୀ ଏବଂ ବହୁ ସଂଖ୍ୟାରେ ଆଦିବାସୀ ଭାଇ ଭଉଣୀ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।