jayashree

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଭବ୍ୟ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶାନ୍ତିପଡ଼ାସ୍ଥିତ ତେଲି ସମାଜ ଭବନଠାରେ ଭବ୍ୟ ଆୟୋଜନ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ପ୍ରଦୀପ ସାହୁ, ଉପଦେଷ୍ଟା ଅଙ୍ଗିରା ସାହୁ, ସାଙ୍ଗଠନିକ ସମ୍ପାଦକ ବିକାଶ ରଞ୍ଜନ ସାହୁଙ୍କ ସମେତ ସମାଜର ବହୁ ପଦାଧିକାରୀ ଓ ସଦସ୍ୟ ଉପସ୍ଥିତ ଥିଲେ । ଜିଲ୍ଲାର ୧୪ଟି ବ୍ଲକ ଓ ଗୋଟିଏ ନଗର କମିଟିରୁ ପ୍ରାୟ ୫୦୦ ଜଣ ମହିଳା, ପୁରୁଷ ଓ ଶିଶୁ ଏହି ସମାରୋହରେ ଯୋଗଦେଇଥିଲେ । ସର୍ବପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସ୍ୱାଧୀନତା ସଂଗ୍ରାମୀ ଓ ଦେଶର ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରାଯାଇଥିଲା । ଏହାପରେ ତେଲି ଜାତିର ଅଧିଷ୍ଠାତା ପ୍ରଭୁ ଶିବଶମ୍ଭୁଙ୍କୁ ପୂଜାର୍ଚ୍ଚନା କରାଯାଇ ସାଧାରଣ ସଭାର ଶୁଭାରମ୍ଭ ହୋଇଥିଲା । ସାଧାରଣ ସଭାରେ ସମାଜର ଏକତା, ସଂଗଠନକୁ ସୁଦୃଢ଼ କରିବା ଏବଂ ସମାଜର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ପରସ୍ପର ସହଯୋଗ ଓ ଭାଇଚାରାର ମନୋଭାବ ଜାଗ୍ରତ କରିବା ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ତେଲି ସମାଜର ବରିଷ୍ଠ ବ୍ୟକ୍ତିତ୍ୱ ଚୈତନ୍ୟ ସାହୁ, ନରହରି ସାହୁ, ଅଙ୍ଗିରା ସାହୁ, ହୀରାବତୀ ସାହୁ ଓ ଫିରୋଜ ସାହୁଙ୍କୁ ସମାଜ ପକ୍ଷରୁ ସମ୍ମାନିତ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ଗୌରବ ଅର୍ଜନ କରିଥିବା ମୋନାଲିସା ସାହୁ, ସ୍ମରଣିକା ସାହୁ, ରୋଶନୀ ସାହୁ ଓ ସଂକେତ ସାହୁଙ୍କୁ ଟ୍ରଫି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମାଜ ପକ୍ଷରୁ ସମ୍ମାନିତ କରାଯାଇଥିଲା । ସଭାରେ ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତ ସ୍ତରରେ ବସବାସ କରୁଥିବା ତେଲି ସମାଜର ପରିବାରଗୁଡ଼ିକୁ ସଂଗଠନ ସହିତ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମାଜର ପ୍ରତ୍ୟେକ ସଦସ୍ୟ ସୁଖଦୁଃଖରେ ପରସ୍ପରର ସହଯୋଗୀ ହୋଇ ଏକ ସୁଦୃଢ଼ ଓ ଏକତାବଦ୍ଧ ସମାଜ ଗଠନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏଥିସହ ଶାନ୍ତିପଡ଼ାସ୍ଥିତ ସମାଜ ଭବନର ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ ଓ ସହଭାଗିତା ଆବଶ୍ୟକ ବୋଲି ସମ୍ପାଦକ ପ୍ରଦୀପ ସାହୁ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଆଗାମୀ ଡିସେମ୍ବର ମାସର ଶେଷ ରବିବାର ଦିନ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଏକ ଭବ୍ୟ ସମାବେଶ ଆୟୋଜନ କରାଯିବା ନେଇ ସଭାପତି ଘୋଷଣା କରିଥିଲେ । ଏହି ସମାବେଶରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏଥିସହ ଶିଶୁ, ମହିଳା ଓ ପୁରୁଷଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମୂହିକ ଭୋଜନର ଆୟୋଜନ କରାଯିବ । ଏହି ସମାବେଶ ମାଧ୍ୟମରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଶେଷରେ ଫିରୋଜ ସାହୁ ଉପସ୍ଥିତ ସମସ୍ତ ଅତିଥି, ସମାଜର ପଦାଧିକାରୀ, ସଦସ୍ୟ ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସମସ୍ତେ ସାମୂହିକ ଭୋଜନରେ ଯୋଗଦେଇ ହର୍ଷୋଲ୍ଲାସର ସହ ଘରକୁ ଫେରିଥିଲେ ।

Leave A Reply

Your email address will not be published.