
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ମାନବିକତା ଓ ଦେଶପ୍ରେମର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି । “ମୋନାଲିସା ପଜିଟିଭ୍ସ” ସଂସ୍ଥା ପକ୍ଷରୁ ଅବଜର୍ଭେସନ୍ ଓ ସ୍ପେଶାଲ୍ ହୋମ୍ରେ ରହୁଥିବା କିଶୋରମାନଙ୍କ ସହ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି । ସଂସ୍ଥାର ଅଧ୍ୟକ୍ଷା ରେଖା ଗୁପ୍ତାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ କିଶୋରମାନଙ୍କୁ ନୂତନ ଟି-ସର୍ଟ, ପ୍ୟାଣ୍ଟ ଓ ମିଠା ପ୍ୟାକେଟ୍ ବଣ୍ଟନ କରାଯାଇଥିଲା । ଏଥିସହ ଆବଶ୍ୟକତା ଥିବା ଲୋକଙ୍କୁ ମାଗଣା ଆଇନଗତ ସହାୟତା ଯୋଗାଇଦେବାକୁ ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଝଇଓଖ-ଜଝଚର ନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋରମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ଼ଃ. ସୁଶାନ୍ତ କୁମାର ଆଚାର୍ଯ୍ୟ, ଡ଼ଃ ସତୀଶ କୁମାର ସାହୁ, ନରେନ୍ଦ୍ର ସାଣ୍ଡୁ, ରାଜେଶ ପାତ୍ର, ଦୀପକ ଦାସ, ଅପୂର୍ବ ପାଣ୍ଡେ, ବସନ୍ତ ପାଠୀ ଓ ସୋମା ଭଟ୍ଟାଚାର୍ଯ୍ୟଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଉତ୍ସବ ଅବସରରେ କିଶୋରମାନେ ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଶ୍ରୀ ସାଇ ମ୍ୟୁଜିକ୍ ଗ୍ରୁପ୍ର ଗାୟିକା ସୋମା ଭଟ୍ଟାଚାର୍ଯ୍ୟଙ୍କ ସୁମଧୁର ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା । ଏହି ମହତ୍ କାର୍ଯ୍ୟରେ ମୋନାଲିସା ପଜିଟିଭ୍ସର ଇନ୍ଦିରା ପଣ୍ଡା, ସଞ୍ଜୟ ଭଟ୍ଟାଚାର୍ଯ୍ୟ, ରାଇମଣି, ଭାଗ୍ୟଶ୍ରୀ ପଣ୍ଡା, ତମସା ବେହେରା, ସ୍ନିଗ୍ଧା ଦାସ, ରାଖି ଠାକୁର ଓ ରିଚା ଜୟସୱାଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କିଶୋରମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ ବିକାଶ ଓ ଆଇନଗତ ସହାୟତା ନିରନ୍ତର ଯୋଗାଇଦେବାକୁ ସଂସ୍ଥା ପକ୍ଷରୁ ଆଶ୍ୱାସନ ଦିଆଯାଇଥିଲା । ସ୍ୱାଧୀନତା ଦିବସର ଏହି ଆୟୋଜନ କିଶୋରମାନଙ୍କ ମନରେ ଦେଶପ୍ରେମ ସହ ଆତ୍ମବିଶ୍ୱାସ ଓ ଆଶାର ନୂଆ ଆଲୋକ ଭରିଦେଇଛି ।