କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି । ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, କବି ଗୌତମ ଦାସ ସମ୍ମାନିତ ଅତିଥି ଓ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କର୍ମବୀରଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଆବାହକ ଓ ସମସ୍ତ ଅତିଥି କର୍ମବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଓଡିଆ ନବଜାଗରଣର ଅନ୍ୟତମ ପ୍ରମୁଖ ପୁରୋଧା ଗୌରୀଶଙ୍କରଙ୍କ ଓଡ଼ିଆ ଭାଷା ସୁରକ୍ଷା ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅତୁଳନୀୟ ଅବଦାନ ଥିଲା । ସେ ଥିଲେ ଓଡ଼ିଆ ସାମ୍ବାଦିକତାର ଜନକ ତଥା ଉତ୍କଳ ଦୀପିକାର ପ୍ରତିଷ୍ଠାତା ସମ୍ପାଦକ । ସେ ଥିଲେ ଓଡ଼ିଶାର ଆଲୋକ ବର୍ତ୍ତିକା । ଏହି ଅବସରରେ ଛାତ୍ରୀ ମମତାଶା ଆଫ୍ରିନ ଓ ଲଳିତା କୁମ୍ଭାର କର୍ମବୀରଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ପଣ୍ଡିତ ପଦ୍ମଲୋଚନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସ୍ମିତାରାଣୀ ନାୟକ, ଉପେନ୍ଦ୍ରନାଥ ଷଡ଼ଙ୍ଗୀ, କ୍ଷୀରୋଦ ସେଠୀ ଓ ଛାତ୍ରୀ ବିନିତା ସିଂ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.