pakka

ରାଉରକେଲା କଲେଜରେ ବନ ମହୋତ୍ସବ ସପ୍ତାହ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନା ଓ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନିଜ ବକ୍ତବ୍ୟରେ କହିଲେ ଯେ, ପ୍ରାକୃତିକ ବିପଦ ଓ ମଣିଷକୃତ ଏକାଧିକ କାରଣ ଯୋଗୁଁ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ଜଙ୍ଗଲ କ୍ଷୟ ଯୋଗୁଁ କେବଳ ପ୍ରାକୃତିକ ସଂପଦ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡି ନଥାଏ ବରଂ ମୃତ୍ତିକା କ୍ଷୟ ତୃଣଭୋଜି ପ୍ରାଣୀଙ୍କ ଚାରଣଭୂମି, ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନ ଜୀବିକା ନଷ୍ଟ ତଥା ତାପମାତ୍ରାରେ କ୍ରମାଗତ ବୃଦ୍ଧି ଦେଖାଦେଇଥାଏ । ପ୍ରକୃତି ମଧ୍ୟ ତାର ଭାରସାମ୍ୟ ଡରାଇଥାଏ ଓ ତାର ଜୈବ ବିବିଧତା ନଷ୍ଟ ହୋଇଥାଏ । ତେଣୁ ପ୍ରତ୍ୟେକ ମଣିଷ ବୃକ୍ଷ ରୋପଣ କରି ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ରାଉତ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସଭାପତିତ୍ୱ ଅଭିଭାଷଣରେ ପ୍ରଫେସର ପ୍ରଧାନ ଜଳବାୟୁର ପରିବର୍ତ୍ତନ ଓ ଅନିୟମିତତାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଅନାବଶ୍ୟକ ଗଛ କଟାରୁ ବିରତ ରହିବା ସହ ବୃକ୍ଷ ରୋପଣକୁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ଦ୍ୱୟ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଓ ଅଧ୍ୟାପକ ବନବିହାରୀ କିଶାନ ଜଙ୍ଗଲର ସଠିକ ପର୍ଯ୍ୟବେକ୍ଷଣ ଓ ବର୍ଗୀକରଣକୁ ଗୁରୁତ୍ୱାରୋପ କରିବା ସହ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଶ୍ରୀ ପାଟ୍ଟଶାଣୀ ଅତିଥିଙ୍କ ପରିଚୟ ପ୍ରଦାନ ସହ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଯଥା ବୃକ୍ଷ ରୋପଣ, ସ୍ଲୋଗାନ, ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା ସହ ଚର୍ଚ୍ଚା ଓ ସ୍ୱଚ୍ଛତା ତଥା ଉଦ୍‌ଯାପନୀ ଉତ୍ସବରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ଶ୍ରୀମତୀ ମଥାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଅତିଥି, ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.

thirteen − 2 =