pakka

ମାଗଣା ସ୍ୱାସ୍ଥ୍ୟ ସେବା କାହା ପାଇଁ : ଅଜଣା ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପଦ୍ମିନୀ

bbehera

ସିନାପାଲି, (ନିରାକାର ମେହେର) : ଗରିବ ଅସହାୟ ତଥା ଅଭାବ ଗ୍ରସ୍ତ ଲୋକଙ୍କ ଚିକିତ୍ସା ସେବା ପାଇଁ ସରକାର ଅନେକ ପ୍ରକାର ମାଗଣା ଚିକିତ୍ସା ସେବା ଯୋଗାଇ ଦେବାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ କର୍ମଚାରୀ ତଥା ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଏବଂ ଲୋକଙ୍କ ଅସଚେତନତା କାରଣରୁ ଏହି ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ଫଳରେ ଅନେକ ଗରିବ ଅସହାୟ ବ୍ୟକ୍ତି ଯୋଜନାରୁ ବାଦ ପଡି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳୁଛି । ସରକାରଙ୍କ ଉଦ୍ଧିଷ୍ଟ ଏହି ଯୋଜନାରେ ପ୍ରକୃତ ହିତାଧିକାରୀ ଲାଭ ପାଇବାରୁ ବଞ୍ଚିତ ହୋଇ ଚିକିତ୍ସା ସେବା ପାଇଁ ବାରଦୁଆର ହୋଇ ଅକାଳରେ ଲୋକଙ୍କ ଜୀବନ ମୃତ୍ୟୁ ମୁଖରେ ପଡୁଥିବା ପରିସ୍ଥିତି ଦେଖା ଦେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭଟା ଗ୍ରାମରେ । ସୂଚନା ଅନୁସାରେ ସ୍ଥାନୀୟ ଲାଖିଧର ମାଲିଙ୍କର ଝିଅ ପଦ୍ମିନୀ ମାଲି(୨୦) ଆଜକୁ ପ୍ରାୟ ଦୁଇ ବର୍ଷ ହେବ ଏକ ଅଜଣା ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯେଉଁ ବୟସରେ ଖୁସିରେ ସଂସାର କରି ମା’ ବାପାଙ୍କ ମୁହଁରେ ହସ ଫୁଟାଇବା କଥା । ହେଲେ ପଦ୍ମିନୀର ଭାଗ୍ୟରେ ବିଡମ୍ବନା, ବରଂ ମାଆ ବାପାଙ୍କ ପାଇଁ ଏକ ବୋଝ ପାଲଟି ଯାଇଛନ୍ତି । ଅର୍ଥାଭାବରୁ ମା’ ବାପା ଚିକିତ୍ସା କରାଇ ପାରୁନାହାନ୍ତି । ଯୁବା ବୟସରେ ପଦ୍ମିନୀ ଶଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏଭଳି ସ୍ଥିତିରେ ସରକାରଙ୍କ ମାଗଣା ଚିକିତ୍ସା ସେବା କାହାପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶ ଯୋଗ୍ୟ ଯେ ପଦ୍ମିନୀ ସୁସ୍ଥ ସବଳ ଭାବରେ ଯୁବତୀ ବୟସରେ ପଦାର୍ପଣ କରିଥିଲେ । ହେଲେ ଗତ ଦୁଇବର୍ଷ ହେଲା ଏକ ଅଜଣା ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପଦ୍ମିନୀର ମୁହଁ, ପେଟ ଓ ଚାରି ହାତଗୋଡ଼ ଅସ୍ୱାଭାବିକ ଭାବେ ଫୁଲି ଯାଇଛି । ଠିକ ଭାବେ ନିତ୍ୟକର୍ମ କିମ୍ବା ଚଲବୁଲା କରିପାରୁ ନାହାନ୍ତି । ଧାର କରଜ କରି ମା’ବାପ ବିଭିନ୍ନ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଓହରି ଗଲେଣି । ବର୍ତମାନ ନିରାଶ ହୋଇ ବେସାହାରା ହୋଇ ପଡିଛନ୍ତି । ସମ୍ପତ୍ତି କହିଲେ କିଛି ନାହିଁ, କେବଳ ରାସନ କାର୍ଡ ଓ ଝାଟି ମାଟିର କୁଡ଼ିଆ ଖଣ୍ଡିକ । ପରିବାର କହିଲେ ଦୁଇ ପୁଅ, ଝିଅ ଓ ସ୍ୱାମୀ ସ୍ତ୍ରୀ ମିଶି ପଞ୍ଚଜଣ । ପାଞ୍ଚ ଜଣଙ୍କ ମାସିକ ୨୫କିଗ୍ରା ଚାଉଳ ଏବଂ କୁଳି ମଜୁରୀ କରି ଚଳନ୍ତି । ପରିବାର ବିପିଏଲ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ନାମକୁ ମାତ୍ର ଜମିବାଡ଼ି । ପଦ୍ମିନୀର ଚିକିତ୍ସାରେ ସେ ସବୁ ବନ୍ଧକ ପଡିଛି । ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଶାସନ ତରଫରୁ ଘର ଖଣ୍ଡିକ ମଧ୍ୟ ମିଳିପାରି ନାହିଁ । ପଦ୍ମିନୀ ଉପରେ ଲୋକଙ୍କ କୁଦୃଷ୍ଟି ପଡିଥିବ କହି ଅନେକ ମଠ, ମନ୍ଦିର ନେବା ସହ ଗୁଣିଗାରେଡି କରି ବହୁ ଖର୍ଚ୍ଚାନ୍ତ ହୋଇଥିବା ପ୍ରକାଶ କରନ୍ତି । ଏହି ପରିସ୍ଥିତିରେ ଯୁବତୀ ଝିଅର ଦୁରବସ୍ଥାରେ ମା’ବାପ ଭାରାକ୍ରାନ୍ତ ହୋଇ ଭାଙ୍ଗି ପଡିଛନ୍ତି । ଅନ୍ୟ ପକ୍ଷରେ ପଦ୍ମିନୀ ମଧ୍ୟ ନିଜକୁ ଅସହାୟ ମନେକରି କୋହଭରା କଣ୍ଠରେ ଜୀବନ ପ୍ରତି ବିତୃଷ୍ନା ଭାବ ପ୍ରକାଶ କରିଛନ୍ତି । ପଦ୍ମିନୀର ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳିଲେ ଝିଅକୁ ଭଲ କରି ପାରିବୁ ବୋଲି ମା’ ବାପା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି । ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ପଦ୍ମିନୀକୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

10 − three =

error: Content is protected !!