om academy

ଓଡ଼ିଶା ଉଷୁ ଦଳକୁ ମିଳିଲା ୧୬ ପଦକ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେରଳର କୋଝିକୋଡେ ସ୍ଥିତ ଭି.କେ. କ୍ରିଷ୍ଣାମେନନ ଇନ୍‌ଡୋର ଷ୍ଟାଡିୟମରେ ବୁଧବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ୍‌ (ସାଉଥ୍‌ ଜୋନ୍‌)ରେ ଓଡ଼ିଶା ଦଳ ମୋଟ ୧୬ଟି ପଦକ ହାସଲ କରିଛି । ଏହା ମଧ୍ୟରେ ୪ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ମିଳିଛି । କେରଳ ଦଳଗତ ଚାମ୍ପିୟନ ହୋଇଥିବା ବେଳେ ତାମିଲନାଡ଼ୁ ଦ୍ୱିତୀୟ ଓ କର୍ଣ୍ଣାଟକ ତୃତୀୟ ସ୍ଥାନ ଅଧିକାର କରିଛି । ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରେ ଶ୍ୱେତାରାଣୀ ମହନ୍ତ, ସୁମିତ୍ରା ମୁଣ୍ଡା, ମଞ୍ଜୁ ମୁଣ୍ଡା ଓ ପଲ୍ଲବୀ ସାମଲ ସ୍ୱର୍ଣ୍ଣ ଏବଂ ସୁହାନି ଗୁରହାଣ୍ଡି, ମାଳିନୀ ମୁଣ୍ଡା, ପରି ମିତ୍ତଲ, ପଲ୍ଲବୀ ସାମଲ (୨ଟି ଇଭେଣ୍ଟରେ) ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ସୋନାଲିସା ଦେହୁରୀ, ଅନ୍ୱେଷା ପପଲାଇ, ରିୟା ଠାକୁର, ରିଙ୍କି ରାଉତରାୟ, ଗାୟତ୍ରୀ ସେଠୀ, ତମନ୍ନା ମିଶ୍ର ଓ ସୃଷ୍ଟି କଳସ ବ୍ରୋଞ୍ଜ ପଦକ ପାଇଛନ୍ତି । ତାଓଲୁ ଇଭେଣ୍ଟରେ ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ଜଜ୍‌ ଭାବେ ଯୋଗ ଦେଇଥିଲେ । ଅନୁରାଧା ଦୋରା ଜଜ୍‌, ପଙ୍କଜ ମହନ୍ତ, ସୁଜନ ରଥ ଓ ଯୁଧିଷ୍ଠିର ଗୁରହାଣ୍ଡି କୋଚ୍‌ ଏବଂ କୃଷ୍ଣ ଚନ୍ଦ୍ର ସାହୁ ଓ ସୁଶାନ୍ତ କୁମାର ନାଏକ ଟିମ୍‌ ମ୍ୟାନେଜର ଭାବେ ଯୋଗ ଦେଇଥିଲେ । ଉଷୁ ଆସୋସିଏସନ ଅଫ୍‌ ଓଡ଼ିଶା ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ, ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଉପସଭାପତି ଶିବାନନ୍ଦ ରାୟ ଓ ବିକାଶ ପଟ୍ଟନାୟକ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.