ଓଏଏସ୍ ପରୀକ୍ଷାରେ ରାଉରକେଲାର ସ୍ଥିତପ୍ରଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ୪୩ତମ ସ୍ଥାନ ହାସଲ କରିଛନ୍ତି ରାଉରକେଲାର ପୁଅ ସ୍ଥିତପ୍ରଜ୍ଞ ପତି । ରାଉରକେଲା ବାସନ୍ତୀ କଲୋନୀର ବାସିନ୍ଦା ଶରତ କୁମାର ପତି ଓ ମଞ୍ଜୁଲତା ପତିଙ୍କ ଏକମାତ୍ର ପୁତ୍ର ସ୍ଥିତପ୍ରଜ୍ଞ । ସେ ପିଲା ଦିନରୁ ମେଧାବୀ ଛାତ୍ର ଭାବେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି । ସେ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ୨୦୧୩ ମସିହାରେ ୧୦ମ ପରୀକ୍ଷାରେ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିଲେ । ପରେ ସେ ଭୁବନେଶ୍ଵର ସ୍ଥିତ ସରକାରୀ ଇଂଜିନିୟରିଂ କଲେଜରୁ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । କ୍ୟାମ୍ପସ ସିଲେକ୍ସନ ମାଧ୍ୟମରେ ହାଇଦ୍ରାବାଦର ଏକ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତାଙ୍କ ମନ ଓଡିଶା ସିଭିଲ ସର୍ଭିସ୍ ପ୍ରତି ରହିଥିଲା । ସେ କମ୍ପାନୀ କାମରୁ ବିଦାୟ ନେଇ ଓଏଏସ୍ ପାଇଁ ମନ ବିନିଯୋଗ କରିଥିଲେ ଏବଂ ସଫଳ ହେଲେ । ତାଙ୍କ ପିତା କୁତ୍ରା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ । ସ୍ଥିତପ୍ରଜ୍ଞଙ୍କ ଜେଜେ ସ୍ୱର୍ଗତ ବାମଦେବ ପତି, ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଆଦର୍ଶରେ ଅନୁପ୍ରାଣିତ । ଆଗାମୀ ଭବିଷ୍ୟତରେ ଆଇଏଏସ୍‌ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.