csstore

ଅଳିଆ ଫିଙ୍ଗାରୁ ମହାଭାରତ : ୧୫ ବର୍ଷ ପରେ ନ୍ୟାୟ ପାଇଲେ ୯୦ ବର୍ଷୀୟ ଦମ୍ପତ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଝିମିଟି ଖେଳରୁ ମହାଭାରତ ପରି ଅଳିଆ ପକାଇବାକୁ ନେଇ ଛତ୍ରପୁର ଥାନା ସ୍ଥିତ ହଂସପୁରରେ ଏକ ଅଭାବନୀୟ ଘଟଣା ୨୦୦୯ ମସିହାରେ ଘଟିଯାଇଥିଲା । ଯେଉଁ ମାମଲାର ଶୁଣାଣି କରି ଶୁକ୍ରବାର ଦିନ ଛତ୍ରପୁର ଏସ୍‌ଡ଼ିଜେଏମ୍ ପ୍ରୀତିଶ କୁମାର ରଥ ଦୁଇ ଜଣ ଅଭିଯୁକ୍ତ ପୁଟିଆପଦର ନିବାସୀ ଶ୍ରୀମତୀ ଶାନ୍ତି ପ୍ରଧାନ ଓ ଶ୍ରୀମତୀ ବାସନ୍ତୀ ପ୍ରଧାନଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୪ ଅନୁଯାୟୀ ଚେତାବନୀ ଦେଇ ଜିଲ୍ଲା ପ୍ରୋବେଶନ ଅଧିକାରୀଙ୍କ ନଜରରେ ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରଖିବା ସହ ଏକ ଶୃଙ୍ଖଳାଗତ ରିପୋର୍ଟ ପ୍ରଦାନ କରିବେ ବୋଲି ନିଜ ବିଚାରରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ, ଯେ’ ୨୦୦୯ ମସିହା ଜାନୁଆରୀ ୧୭ ତାରିଖ ସନ୍ଧ୍ୟା ୭ଘଟିକା ସମୟରେ ଅଭିଯୋଗକାରିଣୀ ଲାବଣ୍ୟ ପ୍ରଧାନଙ୍କ ଶାଶୁ ତାଙ୍କ ଘରେ ଏକାକୀ ଥିବା ସମୟରେ ସାମାନ୍ୟ ଅଳିଆ ପକାଇବା ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତ ଦାସ ସେଠୀ, ବାସନ୍ତୀ ପ୍ରଧାନ, ଶାନ୍ତି ପ୍ରଧାନ ସେଠୀ, ଯମୁନା ସେଠୀ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ପରେ ତାଙ୍କୁ ରକ୍ଷା କରିବାକୁ ଯାଇ ଅଭିଯୋଗକାରିଣୀ, ତାଙ୍କ ଝିଅ, ଶାଶୁ ଓ ଶଶୁର ଉକ୍ତ ସ୍ଥାନରେ ପହଞ୍ଚି ଆକ୍ରୋଶର ଶିକାର ହୋଇଥିଲେ । ଅଭିଯୁକ୍ତମାନେ ଅଭିଯୋଗକାରିଣୀଙ୍କ ମୁଣ୍ଡକୁ କ୍ଷତାକ୍ତ କରିଥିଲେ, ସେହିପରି ତାଙ୍କ ନାବାଳିକା ଝିଅର ଛାତିକୁ ପଥର ମାରିକି ଅଚେତ କରିଦେଇଥିଲେ ତଥା ତାଙ୍କ ବୃଦ୍ଧା ଶାଶୁଙ୍କ ନାକ ଓ ହାତକୁ କ୍ଷତାକ୍ତ କରିବା ସହ ବୃଦ୍ଧ ଶଶୁରଙ୍କ ଦୁଇ ଗୋଡ଼କୁ ଠେଙ୍ଗାରେ ମାରି ରକ୍ତାକ୍ତ କରି ଘଟଣାସ୍ଥଳରେ ଜୀବନରେ ମାରିବାକୁ ଧମକ ଦେଇ ସେହି ସ୍ଥାନରୁ ପଳାଇଥିଲେ । ପରେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଉକ୍ତ ଘଟଣାକୁ ନେଇ ଅଭିଯୋଗକାରିଣୀ ଶ୍ରୀମତୀ ଲାବଣ୍ୟ ପ୍ରଧାନ ଛତ୍ରପୁର ଥାନାରେ ୧୮-୧-୨୦୦୯ରେ ଅଭିଯୋଗ କରିଥିଲେ ଯାହାକି ଛତ୍ରପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ବିଚାରାଧୀନ ରହିଥିଲା । ପର୍ଯ୍ୟାୟ କ୍ରମେ ସବ ଇନ୍ସପେକ୍ଟର ଯୋଗେଶ୍ୱର ପଣ୍ଡା, ଗୀତାଞ୍ଜଳି ପଣ୍ଡା ତଥା ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରା ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ । ଉଲ୍ଲେଖଯୋଗ୍ୟ, ଏହି ମାମଲା ୧୫ବର୍ଷ ଧରି ନ୍ୟାୟାଳୟରେ ପଡିରହିଥିଲା । କିନ୍ତୁ ଏହି ବର୍ଷ ଯେତେବେଳେ ମାମଲା ସାମନାକୁ ଆସିଲା ସେତେବେଳେ ତ୍ୱରିତ ପଦକ୍ଷେପ ସ୍ୱରୂପ ଚାର୍ଜ ଫ୍ରେମ ହେବା ସହ ସେପ୍ଟେମ୍ବର ମାସରେ ବିଚାର ଆରମ୍ଭ ହୋଇଥିଲା ଯେଉଁଥିରେ ଜଣାପଡିଥିଲା, ଏହି ମାମଲାର ପ୍ରତ୍ୟକ୍ଷଦର୍ଶୀ ତଥା ଭୁକ୍ତଭୋଗୀ ବୃଦ୍ଧ ଯାହାଙ୍କୁ ଏବେ ୯୦ବର୍ଷ ଓ ବୃଦ୍ଧା ୮୫ ବର୍ଷ ସେ ଏବେ ବି ନ୍ୟାୟ ପାଇବା ପାଇଁ ଅପେକ୍ଷାରତ । ତେଣୁ ମାମଲାକୁ ତ୍ୱରାନ୍ୱିତ କରାଯାଇ ମାମଲାର ବିଚାର ସମୟରେ ନିଆଯାଇଥିବା ପ୍ରତ୍ୟକ୍ଷଦର୍ଶୀକୁ ମିଶାଇ ୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଶୁକ୍ରବାର ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତମାନଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କାର୍ଯ୍ୟରୁ ଭବିଷ୍ୟତରେ ବିରତ ରହିବାକୁ ଚେତାଇ ଦେବା ସହ ବର୍ଷେ ପର୍ଯ୍ୟନ୍ତ ପ୍ରୋବେଶନ ଅଫିସରଙ୍କ ନଜରାଧୀନ ରହିବେ ବୋଲି ନିଜର ରାୟ ଦେଇଥିଲେ । ସେହିପରି ଏଥିରେ ଥିବା ଅନ୍ୟ ଅଭିଯୁକ୍ତ ଯମୁନା ସେଠୀ ମାମଲାର ବିଚାର ଆରମ୍ଭ ହେବା ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି ତଥା ଅନ୍ୟ ଅଭିଯୁକ୍ତ ଦାସ ସେଠୀ ଆଜି ବି ପଳାୟନ କରିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.