
- ଘରୋଇ ବସ୍ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀରେ ସୂଚନା, ଯାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି
ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଦୁଇ ଦିନର ଅଚଳାବସ୍ଥା ପରେ ଶେଷରେ ସ୍ୱାଭାବିକ ହୋଇଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେ ବସ୍ ଚଳାଚଳ । ନୂଆପଡା ଜିଲ୍ଲା ଖଡ଼ିଆଳର ବିଜୟଲକ୍ଷ୍ମୀ ବସ୍ ମାଲିକ ଅକ୍ଷୟ ନନ୍ଦଙ୍କ ମନମାନି ଓ ଦାଦାଗିରି ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଶୁକ୍ରବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି କଣ୍ଟାବାଞ୍ଜି ଘରୋଇ ବସ୍ ମାଲିକ ସଂଘ । ସୂଚନା ଅନୁସାରେ, ଖଡ଼ିଆଳର ବିଜୟଲକ୍ଷ୍ମୀ ବସ୍ ମାଲିକ ଅକ୍ଷୟ ନନ୍ଦଙ୍କ ଆଚରଣ ଓ ମନମାନିକୁ ନେଇ କଣ୍ଟାବାଞ୍ଜି ବସ୍ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିଥିଲା । ଏହାର ପ୍ରତିବାଦରେ ସଂଘର ସଭାପତି ବଦ୍ରିନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଦୁଇଦିନ ଧରି ବସ୍ ଧର୍ମଘଟ ଜାରି ରହିଥିଲା । ଫଳରେ ବିଭିନ୍ନ ରୁଟ୍ରେ ବସ୍ ଚଳାଚଳ ବନ୍ଦ ରହିବା ସହ ଯାତ୍ରୀ, ଛାତ୍ରଛାତ୍ରୀ ଓ ଦୂରଦୂରାନ୍ତରୁ ଆସୁଥିବା ଲୋକେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ । ତେବେ ଦୁଇ ଦିନ ପରେ ଆଜି ଶୁକ୍ରବାରଠାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଥିବା ନେଇ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଘୋଷଣା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜି ଘରୋଇ ବସ୍ ମାଲିକ ସଂଘର ସଭାପତି ବଦ୍ରି ନାରାୟଣ ମିଶ୍ର, ସମ୍ପାଦକ କ୍ରିସ୍ନାନନ୍ଦ ସିଂ, କୋଷାଧ୍ୟକ୍ଷ ସୁଜିତ ସିଂ, ସୁରେଶ ଦାସ, ସନ୍ତୋଷ ରାଏ, ଆକାଶ ମିଶ୍ର ସହ ଅନ୍ୟମାନେ ଉପସ୍ଥିତ ଥିଲେ ।