ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଭରତ ମୂନିଙ୍କ ଶାସ୍ତ୍ର ଅନୁଯାୟୀ ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ । ଏହି ପରିଚୟ ଆମକୁ ଗର୍ବିତ କରିଛି ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ନଟରାଜ ନୃତ୍ୟ ପରିଷଦ ଓ ନଟରାଜ ଥିଏଟର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଉରକେଲା ଇସ୍ପାତ କାରଖାନା ଓ ସର୍ବଭାରତୀୟ ଥିଏଟର ପରିଷଦର ମିଳିତ ଆନୁକୂଲ୍ୟରେ ତଥା ଅନୁଷ୍ଠାନର ଅଧ୍ୟକ୍ଷ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ସିଭିକ ସେଣ୍ଟର୍ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ମହାପାତ୍ର ଏହା କହିବା ସହ ଓଡିଶୀ ଓଡିଶା ପାଇଁ ଖ୍ୟାତି ଆଣିଥିବା ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଖ୍ୟାତିସଂପନ୍ନ ଓଡିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର ଯୋଗଦେଇ ଓଡିଶୀ ନୃତ୍ୟର ସୃଷ୍ଟି ଓ କ୍ରମବିକାଶ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ, ପୂଜା ଗୁରୁ ସାରଦା ଦାସ, ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଧଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା, ଡାକ୍ତର ରାମଚନ୍ଦ୍ର ମେହେର ଓ ଡ.ସମର ମୁଦାଲି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗୁରୁ ଦୁର୍ଗାଚରଣ ରଣବୀର ଓ ଶରତଚନ୍ଦ୍ର ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନିଲ ମଲ୍ଲିକ ଓ ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରିଥିବା ବିଭିନ୍ନ ଅନୁଷ୍ଠାନ ଯଥା ତ୍ରିବେଣୀ କଳା ସଂଗମର ଗୁରୁ ସୁନିତା ପଟ୍ଟନାୟକ, ନୃତ୍ୟ ମଧୁରମର ଗୁରୁ ସୁବ୍ରତ ଭୂୟାଁ, ମ୍ୟୁଜିକ ସର୍କଲର ଗୁରୁ ସୁଦେଷ୍ଣା ରାଣୀ ରାଉତ, ରେନବୋ କଳାକେନ୍ଦ୍ରର ଗୁରୁ ନିଳାଦ୍ରୀ ମହାନ୍ତି, ନୃତ୍ୟ ଶାନ୍ତିର ଗୁରୁ ପ୍ରଶାନ୍ତି ଜେନା, ନଟରାଜ ନୃତ୍ୟ ପରିଷଦର ଗୁରୁ ରଶ୍ମିତା ଜେନା, କ୍ରୀଷ୍ଣମର ଗୁରୁ ଜ୍ୟୋତିଶ୍ରୀ ଷଡଙ୍ଗୀ, କଳିକା ମ୍ୟୁଜିକ ଆଣ୍ଡ ଡ୍ୟାନ୍ସ ଏକାଡ଼େମୀର ଗୁରୁ ଏଲିମା ପାତ୍ର, ଦେବ ନୃତ୍ୟମ୍‌ର ଗୁରୁ ମୃତୁଞ୍ଜୟ ବାସା, ଇସ୍ପାତ କଳା ପରିଷଦର ଗୁରୁ କୋମଲ ରାଣୀ ସୂତାର ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ସର୍ବଶ୍ରୀ ବସନ୍ତ କୁମାର ଦାସ, ରାନୁ ମହାପାତ୍ର, ଇନ୍ଦ୍ରାବଳୀ ମିସ୍ତ୍ରୀ, ବିଶ୍ୱଜିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ମୁଖ୍ୟ ଆୟୋଜକ ପ୍ରବୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × 3 =