pakka

ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ

bbehera
  • ନିଶା ଏକ ସାମାଜିକ ବ୍ୟାଧି,ଏହାର ଅପବ୍ୟବହାର ଓ ଚାଲାଣ
  • ସାମାଜିକ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରେ : ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷ୍ୟା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗ) ସୁବର୍ଣ୍ଣପୁର ତରଫରୁ ଆନ୍ତର୍ଜାତିକ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସକାଳେ ଏନ୍‌ସିସି କେଡ଼େଟ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ପୁରୁଣା ଟାଉନ ହଲଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ପ୍ରସ୍ତୁତ ସଚେତନତା ରଥ ଓ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅନୈତିକ ଚାଲାଣ ବ୍ୟକ୍ତି ତଥା ସମାଜରେ ଏହାର କୁପ୍ରଭାବ ଉପରେ ବକ୍ତବ୍ୟ ପ୍ରଦାନ କରି ନିଶା ଏକ ସାମାଜିକ ବ୍ୟାଧି ବୋଲି କହିଥିଲେ । ଏହାକୁ ସମାଜର ପ୍ରତ୍ୟେକ ସ୍ତରରେ ପ୍ରତିରୋଧ କରିବାକୁ ପ୍ରଯତ୍ନ ହେବା ସହ ବିଶେଷ ଭାବେ ଯୁବ ଗୋଷ୍ଠୀ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସ୍ୱାଗତ ଅଭିଭାଷଣ ସହ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତୀ ତ୍ରିପାଠୀ, ଏସ୍‌ଡିପିଓ ସୋନପୁର ଶ୍ରୀମତୀ ପୁଷ୍ପାଞ୍ଜଳି ନିଙ୍ଗୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ସନତ କୁମାର ନାୟକ ପ୍ରମୁଖ ଯୋଗଦାନ କରି ନିଶା ଦ୍ରବ୍ୟ ଅପବ୍ୟବହାର ଓ ବେଆଇନ ଚାଲାଣର କାରଣ, ନିରାକରଣ ତଥା ସମଗ୍ର ଜନ ଜୀବନରେ ଏହାର କୁପ୍ରଭାବ ଉପରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ସାଧନ କର୍ମୀ ଭାବେ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁରର ଭାଇ ମନୋଜ ଦାଶ ଏବଂ ସାମାଜିକ କର୍ମୀ ରାଜୀବ ଲୋଚନ ନାୟକ ନିଶା ନିବାରଣ ଉପରେ ସଚେତନତା ବକ୍ତବ୍ୟ ପ୍ରଦାନ କରି ନିଶା ଅପବ୍ୟବହାର ଓ ଅନୈତିକ ଚାଲାଣର ଭୟାବହତା ପରିଣାମ ଉପରେ ସୂଚୀତ କରିଥିଲେ । ନିଶାର ଅପବ୍ୟବହାର ପରୋକ୍ଷ ହେଉ ଅବା ପ୍ରତ୍ୟକ୍ଷ ଭାବେ ହେଉ ସମାଜରେ ଅନୈତିକ କାର୍ଯ୍ୟକଳାପକୁ ଉତ୍ସାହିତ କରୁଥିବା କହିବା ସହ ଆମର ଦୃଢ଼ ମାନସିକତା ନିଶା ରୂପକ ରାକ୍ଷସକୁ ପ୍ରତିହତ କରିପାରିବ ବୋଲି ଦୃଢୋକ୍ତି କରିଛନ୍ତି । ନିଶା ସେବନ ଓ ଅପବ୍ୟବହାର ମଣିଷକୁ କିପରି ସହଜରେ ଅମଣିଷ କରି ଦେଉଛି ତାର ସଦ୍ୟତମ ଉଦାହରଣ ଭାବେ ନିଶା ନିବାରଣ କେନ୍ଦ୍ର, ମାଟୁପାଲି ଓ ତରଭାର ୪ ଜଣ ଲାଭାର୍ଥୀ, ଯେଉଁମାନେ କି ନିଶା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ସେମାନେ ସେମାନଙ୍କ ଜୀବନର ଅଭିଜ୍ଞତାକୁ ସଭାରେ କହିଥିଲେ । ନିଶା ସେବନ ଠୁ ଦୂରେଇ ଗଲା ପରେ ସେମାନେ କିପରି ଏକ ଅମଣିଷରୁ ମଣିଷ ହୋଇପାରିଛନ୍ତି ତାହା ବର୍ଣ୍ଣନା କରିଛନ୍ତି । ଏହି ଅବସରରେ ସେମାନଙ୍କୁ ପ୍ରଶାସନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ, ରେଆର, ଭିନ୍ନକ୍ଷମ, ଅଭିଭାବକ ସଂଘ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏବଂ ସମସ୍ତ ବ୍ଲକର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଯୋଗଦାନ କରି ନିଶା ନିବାରଣ ତଥା ନିଶା କାରବାର ନିଷିଦ୍ଧ ଉପରେ ମନ୍ତବ୍ୟ ରଖିଥିଲେ । ସଭା ଶେଷରେ ସମସ୍ତେ ଏକଜୁଟ ହୋଇ ନିଶା ମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରିଥିଲେ । ପରିଶେଷରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷ୍ୟା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁରର କାର୍ଯ୍ୟକର୍ତ୍ତା ତଥା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷା ପୁରୋହିତ, ସୋନିଆ ବରିହା, ଗୁପ୍ତେଶ୍ୱର ପଧାନ ଏବଂ ରେଆର, ରାଧା ଏବଂ ଏନ୍‌ଆର୍‌ଡିସିର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

sixteen − 13 =

error: Content is protected !!