pakka

ଦାରିଙ୍ଗବାଡ଼ି ବ୍ଲକରେ ବାଜିଲା ପଞ୍ଚାୟତ ନିର୍ବାଚନୀ ବିଗୁଲ : ୩ ପ୍ରମୁଖ ଦଳ ନିର୍ବାଚନ ପାଇଁ ସଜବାଜ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପଞ୍ଚାୟତ ନିର୍ବାଚନ ପାଇଁ ବିଧବଦ୍ଧ ତାରିଖ ଘୋଷଣା ପରେ ବ୍ଲକ ଓ ଗାଁ ରାଜନୀତି ଏବେ ଜୋର୍‌ ଧରିଛି । ବ୍ଲକସଦର ମହକୁମା ସହିତ ଅଞ୍ଚଳର ସିମନବାଡି, ବୁଡ଼ାଗୁଡା, କିରିକୁଟି, ବାଡାବାଙ୍ଗା, ଦାସିଙ୍ଗବାଡ଼ି, ସିକରମାହା, ଗଦାପୁର, ବ୍ରହ୍ମଣୀଗାଁ ଓ କାଟିଙ୍ଗିଆ ବଜାରରେ ବିଭିନ୍ନ ରାଜନୈତିକ ଦଳର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଛି । ତେବେ ସମର୍ଥିତ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି । ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବା ପ୍ରଥମ ଦିନ ରହିଛି । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ସେମାନଙ୍କର ଛବି ଆରମ୍ଭ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକର ୨୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଓ ୨ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ଆସନ୍ତା ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ଜିଲ୍ଲା ପରିଷଦ ସଭ୍ୟ ପଦ ଲାଗି ନାମାଙ୍କନ ପତ୍ର ଦାଖଲ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ସେଭଳି ସମିତିସଭ୍ୟ ପଦବୀ ପାଇଁ ବ୍ଲକ ବିଡିଓଙ୍କଠାରେ ଓ ସରପଞ୍ଚ ପଦ ଲାଗି ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ହେବ । ଚଳିତ ନିର୍ବାଚନରେ ବ୍ଳକର ୮୦ ହଜାର ୫ ଶହ ୬୧ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୧ ହଜାର ୭ ଶହ ୩୯ ମହିଳା ଥିବା ବେଳେ ୩୮,୮୦୯ ପୁରୁଷ ଭୋଟର ଓ ମାତ୍ର ୧୩ ଜଣ କିନ୍ନର ଭୋଟର ମତଦାନରେ ଅଂଶଗ୍ରହଣ କରିବେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାରମ୍ଭରୁ ଏହି ବ୍ଲକରେ କଂଗ୍ରେସ ୨ଟି ଜିଲ୍ଲା ପରିଷଦ ପଦକୁ ହାତେଇ ଆସିଛି । ଚଳିତ ନିର୍ବାଚନରେ କିନ୍ତୁ ଜିଲାପରିଷଦ ପଦକୁ ବିଜେଡି କିଭଳି ହାତେଇ ଇତିହାସ ରଚିବ ସେଥିପାଇଁ ଜୋରଦାର ଉଦ୍ୟମ କରୁଛି । ଏପଟେ ବିଭିନ୍ନ ଗ୍ରାମରେ ଶାସକ ଦଳର ବିଧାୟକଙ୍କ କାର୍ଯ୍ୟ କଳାପରେ ଆକୃଷ୍ଟ ହୋଇ କଂଗ୍ରେସ, ବିଜେପି ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି । ଏପଟେ କଂଗ୍ରେସ ଓ ବିଜେପି ମଧ୍ୟରେ ମିଶ୍ରଣ ପର୍ବ ଜାରି ରଖୁଛନ୍ତି । ଦାରିଙ୍ଗବାଡ଼ି ବ୍ଲକରେ ଦୁଇଟି ଜିଲ୍ଲା ପରିଷଦ ଜୋନ୍‌ ରହିଛି । ଗତ ନିର୍ବାଚନରେ ୧୦ନଂ ଜୋନ୍‌କୁ କଂଗ୍ରେସ ହାତେଇଥିବା ବେଳେ ୧୧ନଂ ଜୋନ୍‌ରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ମଧ୍ୟ ଏହାକୁ ମଧ୍ୟ କଂଗ୍ରେସ ହାତେଇ ନେଇଥିଲା । ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗଡ଼ ସୁରକ୍ଷିତ ରଖିବାକୁ କଂଗ୍ରେସ ଅଣ୍ଟା ଭିଡ଼ିଛି । ସେଭଳି ବିଜେପି ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ଚଳିତ ବର୍ଷ ଜିତିବାର ଆଶା ରଖିଛି । ତେବେ ଶାସକ ଦଳ ସବୁ ବର୍ଗର ଭୋଟରଙ୍କୁ ଆକର୍ଷିତ କଲା ଭଳି ମାଳ ମାଳ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ବିଜେଡି ପଞ୍ଚାୟତ ପାଖରେ ପହଞ୍ଚାଇ ଜିତିବାର ରଣନୀତି ପ୍ରସ୍ତୁତ କରିଛି । ସେହିପରି ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଗତ ସାଧାରଣ ନିର୍ବାଚନର ଫଳାଫଳକୁ ଦୋହରାଇବା ପାଇଁ ରଣନୀତି ଆପଣାଇ ଥିବା ବେଳେ ବିଜେପି ଚଳିତ ବର୍ଷ କୌଣସି ମତେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ ଜାରି ରଖିଛି । ଏପଟେ ଦାରିଙ୍ଗବାଡ଼ି ବ୍ଲକରେ ବିଜେଡି ଆରମ୍ଭରୁ ଥରୁଟିଏ ମଧ୍ୟ ଜିଲ୍ଲା ପରିଷଦ ପଦ ଅକ୍ତିଆର କରିପାରିନି । ଚଳିତ ବର୍ଷ ୨ଟି ଜିଲ୍ଲା ପରିଷଦ ଜୋନ୍‌ଙ୍କୁ ନିଜ ଅକ୍ତିଆରରେ ଆଣିବାକୁ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି । ଏହି ଯୋଜନାରେ ୨ଟି ଜିଲ୍ଲା ପରିଷଦ ପଦକୁ ବିଜେଡି ହାତକୁ ଯିବ ବୋଲି ଅନୁମାନ କରାଯାଇଛି । ଯେହେତୁ ସ୍ଥାନୀୟ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇ ଲୋକଙ୍କର ନିକଟତର ହୋଇଥିବା ବେଳେ ସାଂସଦଙ୍କ ସେହି ଭଳି ଆଖିଦୃଶିଆ କାମ କିଛି ହୋଇ ନଥିବା ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ, ବିଜେପିରେ ଅଙ୍କ କଷା ଜୋର ଚାଲିଥିବା ବେଳେ ଶାସକ ବିଜେଡିର ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ଲାଗିଥିବା ଜଣାପଡ଼ିଛି । ବିଜେପି କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକୁ ଫୋକସ୍‌ରେ ନେବା ସହ ଲୋକଙ୍କ ପାଖରେ ପହଞ୍ଚି ନିର୍ବାଚନ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସକୁ ଏହି ଥର ବହୁ ସଙ୍ଗର୍ଷ କରିବାକୁ ପଡିବ ବୋଲି ଆଲୋଚନା ଜୋର ଧରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

thirteen − eleven =