ସିଆଲଯୋର ସ୍କୁଲ ପାଚେରୀ ନିର୍ମାଣରେ ଅନିୟମିତତା ଅଭିଯୋଗ : ସାମାନ୍ୟ ବର୍ଷାରେ ଧୋଇ ହେଉଛି ପ୍ଲାଷ୍ଟର, ଠିକାଦାର ସାଜିଛନ୍ତି ସରପଞ୍ଚଙ୍କ ସ୍ୱାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଜଙ୍ଗଲ ଘେରା ଭିତରେ ଥିବା ବ୍ରାହ୍ମଣୀଯୋର ପଞ୍ଚାୟତର ସିଆଲଯୋର ପ୍ରାଥମିକ ବିଦ୍ୟାଳୟରେ ନିର୍ମାଣ ହୋଇଥିବା ପାଚେରୀ କାମରେ ଅନିୟମିତତା ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଏହି କାମଟି ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଥିବା ବେଳେ କାମକୁ ତଦାରଖ କରୁଛନ୍ତି ଖୋଦ ସରପଞ୍ଚଙ୍କ ସ୍ୱାମୀ । ଯାହାଫଳରେ କାମ ଯେଭଳି ହେଉଥିଲେ ମଧ୍ୟ ଅଭିଯୋଗ କଲେ ଶୁଣୁନାହାନ୍ତି ଅଧିକାରୀମାନେ ବୋଲି ଗାଁଲୋକେ କହିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଏହି ସ୍କୁଲର ବାଡ଼ ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ଏହି କାମକୁ ବ୍ରାହ୍ମଣୀଯୋର ସରପଞ୍ଚଙ୍କ ସ୍ୱାମୀ ଦେଓଗାଁର ଜଣେ ତଥାକଥିତ ନେତାଙ୍କ ହାତରେ କାମ ଟେକି ଦେଇ ନିମ୍ନମାନର କାମ କରାଉଥିବା ଅଭିଯୋଗ ହେଉଛି । ଏହି ପାଚେରୀ ନିର୍ମାଣ କାମରେ ନିମ୍ନମାନର ଇଟା, କମ ପରିମାଣର ସିମେଣ୍ଟ ସହ ଅଧିକ ବାଲି ଦେଇ ନିର୍ମାଣ କରିଛନ୍ତି । ଏହି ପାଚେରୀର ବର୍ତ୍ତମାନ ଛପେଇ କାମ କରୁଛନ୍ତି, କିନ୍ତୁ ଏବେ ସାମାନ୍ୟ ବର୍ଷା ହେବାରୁ ଛପେଇ ହୋଇଥିବା ପ୍ଲାଷ୍ଟରରୁ ସିମେଣ୍ଟ ଧୋଇ ହୋଇଯିବାରୁ ପାଚେରୀ କେବଳ ବାଲିଆ ଅଂଶ ରହିଥିବାରୁ ବାଡ଼ କାମରେ କିଭଳି ଭାବେ ଦୁର୍ନୀତି ହୋଇଛି ତାକୁ ଦେଖିଲେ ଦହଦହ ବାରି ହେଉଛି । ଭବିଷ୍ୟତରେ କିଛି ଅଘଟଣ ହେବା ପୂର୍ବରୁ ଏହି ବାଡ଼ାକୁ ଭାଙ୍ଗି ନୂତନ ଭାବେ ବାଡ଼ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏନେଇ ବ୍ରାହ୍ମଣୀଯୋର ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ସମ୍ଭବ ହୋଇନଥିବା ବେଳେ କାର୍ୟ୍ୟନିର୍ବାହୀ ଅଧିକାରୀ ରମେଶ ବାଗଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଯୋଗ ଦେଇଛି, ସମ୍ପୁର୍ଣ୍ଣ ଦାୟିତ୍ୱ ପାଇନାହିଁ, ଫାଇଲ ଦେଖିବା ପରେ କେଉଁ ଯୋଜନାର କେତେ ଟଙ୍କା କହିହେବ ବୋଲି କହିଛନ୍ତି । ଅନ୍ୟପକ୍ଷରେ କାମ ଆରମ୍ଭ ହେବାର ଆଗରୁ ଏକ ସୂଚନାଫଳକ ଲଗାଇବାର ନିୟମ ଥିବା ବେଳେ କାମ ଶେଷ ହୋଇ ଯାଇଥିଲେ ମଧ୍ୟ ସୂଚନାଫଳକ ଲାଗି ନଥିବାରୁ ବାଡ଼ କାମରେ ଅନିୟମିତତା ହୋଇଥିବା ସ୍ପଷ୍ଟ ଭାବେ ବାରି ହେଉଛି ।
ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକରେ ହେଉଥିବା ଉନ୍ନୟନ କାମରେ ନିର୍ବାଚିତ ପ୍ରତିନିôଧମାନେ ଠିକାଦାର ସାଜି କାମ ତଦାରଖ କରୁଥିବାରୁ ଲୋକେ ଅଭିଯୋଗ କରିପାରୁ ନାହାନ୍ତି । ଯାହାଫଳରେ ପ୍ରତିନିôଧମାନେ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କାର ଲୁଟ କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଏଭଳି କାମ କରୁଥିବା ଜନ ପ୍ରତିନିôଧମାନଙ୍କୁ ଚିହ୍ନଟ କରି ଉଚିତ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.