କଥା ରଖିଲେ ଜିଲ୍ଲାପାଳ : ଇଂଜିନିୟର ଅନନ୍ତ ଡାଟା ଏଣ୍ଟ୍ରି ଅପରେଟର୍‍ ଭାବେ ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଚାକିରି ମିଳିଲାନି । ରାଜ୍ୟ ବାହାରକୁ ଯାଇ ଏକ ଠିକା ସଂସ୍ଥାରେ ଇଂଜିନିୟର୍‍ ଭାବେ କାମ କରୁଥିଲେ । କରୋନା ମହାମାରୀ ପାଇଁ ଠିକା ସଂସ୍ଥା କାମ ବନ୍ଦ କରିଦେଲା । ବିନା ଦରମାରେ କେତେ ଦିନ ପଡି ରହିବେ । ତେଣୁ ଘରକୁ ଫେରି ଆସିଲେ । ହାତରେ କାମ ଧନ୍ଦା କିଛି ନଥିଲା । ମେହେନତ କଲେ ଚଳେ ପରିବାର । ତେଣୁ ବାଧ୍ୟ ହୋଇ ଇଂଜିନିୟର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାପା ସହ ମିଶି ହାତରେ କୋଦାଳ ଧରିଥିଲେ । ମାଟି ଖୋଳିଲେ ଓ ମାଟି ବୋହିଲେ । ୟେ ହେଉଛି ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତର ଜୁର୍ଲାକାନି ଗାଁର ଅନନ୍ତ ବେରିଆଙ୍କ କଥା । ଅଢେଇ ମାସ ଧରି ସେ ମନରେଗା ଯୋଜନାରେ ମାଟି କାମ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯାଇଥିଲେ କାମ ତଦାରଖ ପାଇଁ । ସେଠାରେ ଉପସ୍ଥିତ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଜିଲାପାଳ ଶ୍ରୀ ରାଣାଙ୍କୁ ଅନନ୍ତଙ୍କ ସାକ୍ଷାତ କରାଇଥିଲେ । ଆଲୋଚନା ବେଳେ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ ଯେ, ମାଟି କାମ କରୁଥିବା ଅନନ୍ତ ଜଣେ ସିଭିଲ୍‍ ଇଂଜିନିୟର୍‍ । ସେଠାରେ କିଛି କହି ନଥିଲେ ବି ଜିଲ୍ଲାପାଳ ଅଫିସ୍‍ ଆସି ଦେଖା କରିବାକୁ ଅନନ୍ତଙ୍କୁ କହିଥିଲେ । ସେହି ଅନୁସାରେ ଜିଲ୍ଲାପାଳ କାର୍ୟ୍ୟାଳୟରେ ଅନନ୍ତ ଜିଲ୍ଲାପାଳ ଶ୍ରୀ ରାଣାଙ୍କୁ ସାକ୍ଷାତ କରିଥିଲେ । ବର୍ତ୍ତମାନ ଜିଲାରେ ତାଙ୍କ ଯୋଗ୍ୟତା ଅନୁସାରେ କୌଣସି ଚାକିରୀ ନଥିଲେ ବି ବିକଳ୍ପ କିଛି ବ୍ୟବସ୍ଥା କରି ରୋଜଗାର ଯୋଗାଇ ଦିଆଯିବ ବୋଲି କଥା ଦେଇଥିଲେ ଜିଲ୍ଲାପାଳ ଶ୍ରୀ ରାଣା । ଆଉ ଏବେ ନିଜ କଥା ରଖିଛନ୍ତି ଜିଲ୍ଲାପାଳ । ଅନନ୍ତ‌ଙ୍କୁ ନଭେମ୍ବର ମାସରେ ବଲାଙ୍ଗିର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‍ଡିଏ)ରେ ଡାଟା ଏଣ୍ଟ୍ରି ଅପରେଟର୍‍ ଭାବେ ତାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି । ଅନନ୍ତ ଡିଆର୍‍ଡିଏରେ କାମ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ ଜୁର୍ଲାକାନି ଗାଁର ଦିନ ମଜୁରିଆ ବୈଷ୍ଣବ ବେରିଆଙ୍କ ବଡ ପୁଅ ହେଉଛନ୍ତି ଅନନ୍ତ । ସିଇଭି କଲେଜ, ଭୁବନେଶ୍ୱରରୁ ସିଭିଲ ଇଂଜିନିୟରିଂ କରିଥିବା ଅନନ୍ତ ଚେନ୍ନାଇରେ ଅଭିଜିତ ଏଜେନ୍ସି ପ୍ରାଇଭେଟ ଲିମିଟେଡ୍‍ରେ ସାଇଟ୍‍ ଇଂଜିନିୟର୍‍ ଭାବେ ଚାକିରୀ କରୁଥିଲେ । ତେବେ ଇଂଜିନିୟରିଂ ପାଠ ପଢି ଗାଁରେ ମାଟି କାମ କରିବା ଅପେକ୍ଷା ସରକାରୀ ଅଫିସରେ କାମ କରିବାକୁ ଭଲ ଲାଗୁଛି ବୋଲି କହିଛନ୍ତି ଅନନ୍ତ ।

Leave A Reply

Your email address will not be published.