
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ଅବସର ଗ୍ରହଣ ପରେ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅତିଶୀଘ୍ର ଜଣେ ବରିଷ୍ଠ ଏସ୍.ଇ.ଏସ୍. ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତ କରିବା ପାଇଁ ଅଞ୍ଚଳବାସୀ, ଅଭିଭାବକ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ମହଲରୁ ଜୋରଦାର ଦାବି ଉଠିଛି । ଦେଓଗାଁ ବ୍ଲକର ମୁଖ୍ୟାଳୟ ବିଦ୍ୟାଳୟ ଭାବେ ପରିଚିତ ଏହି ଶିକ୍ଷାନୁଷ୍ଠାନ କେବଳ ଶିକ୍ଷାଦାନରେ ସୀମିତ ନୁହେଁ ବରଂ ବିଭିନ୍ନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ପ୍ରବେଶିକା ପରୀକ୍ଷା ଏବଂ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମର ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିଆସୁଛି । ଏଠାରେ ପ୍ରତିବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ଜବାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚୟନ ପରୀକ୍ଷା, ପଠାଣୀ ସାମନ୍ତ ଗଣିତ ମେଧା ପରୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷା ସଫଳତାର ସହ ଆୟୋଜିତ ହେଉଥିବା ସହ ବ୍ଲକସ୍ତରୀୟ ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ ଓ ପ୍ରଶାସନିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ପ୍ରଧାନ ଶିକ୍ଷକ ପଦବୀ ଦୀର୍ଘ ଦିନ ଖାଲି ରହିଲେ ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ, ଶିକ୍ଷାର ମାନ, ପରୀକ୍ଷା ପରିଚାଳନା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସୂଚାରୁ ରୂପାୟନ ବ୍ୟାହତ ହେବାର ଆଶଙ୍କା ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ବିଦ୍ୟାଳୟର ଗୌରବ ଏବଂ ପ୍ରଶାସନିକ ସୁବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଜଣେ ଦକ୍ଷ ଓ ଅଭିଜ୍ଞ ବରିଷ୍ଠ ଏସ୍.ଇ.ଏସ୍. ପ୍ରଧାନ ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ଅବିଳମ୍ବେ ନିଯୁକ୍ତ କରନ୍ତୁ ବୋଲି ସାଧାରଣ ଜନତା ଦାବି କରିଛନ୍ତି । ଅଞ୍ଚଳବାସୀଙ୍କ ମତାନୁସାରେ, ଏହି ଦାବି ପୂରଣ ହେଲେ ବିଦ୍ୟାଳୟର ଶିକ୍ଷା ଓ ପ୍ରଶାସନିକ କାର୍ଯ୍ୟ ପୂର୍ବବତ୍ ସୂଚାରୁ ଭାବେ ପରିଚାଳିତ ହେବା ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହେବେ ବୋଲି ଶିକ୍ଷାପ୍ରେମୀ ମହଲରେ ଆଶା କରାଯାଉଛି ।
