jsm

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭିନ୍ନକ୍ଷମ ଛାତ୍ରୀ ନିବାସ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ନରସିଂହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ନିର୍ମାଣାଧିନ ଏକ ଛାତ୍ରୀ ନିବାସର ନିର୍ମାଣ ସ୍ଥଳ ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ଦେଢ କୋଟିରୁ ଅଧିକ ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା ଏହି ହଷ୍ଟେଲରେ କେବଳ ବିଶ୍ୱ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀମାନେ ରହି ପାଠ ପଢିବେ । ସରକାରଙ୍କ ବିଜ୍ଞାନ କାରିଗରୀ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ମାଣ ସ୍ଥଳି ପରିଦର୍ଶନ ସମୟରେ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଉପସ୍ଥିତ ଥିବା ଯନ୍ତ୍ରୀମାନେ ହଷ୍ଟେଲରେ ଭିନ୍ନକ୍ଷମ ଛାତ୍ରୀମାନଙ୍କ ପାଇଁ ଦିଆଯାଇଥିବା ବିଭିନ୍ନ ସୁବିଧା ବାବଦରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଧାୟକ ନରସିଂହ ମିଶ୍ରଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ୧୬ ଜଣ ଛାତ୍ରୀ ରହିବା ପାଇଁ ସୁବିଧା ଥିବା ଏହି ହଷ୍ଟେଲରେ କେବଳ ଲିଫ୍ଟର ସୁବିଧା ଦିଆଯାଇଥିବାରୁ ହଷ୍ଟେଲରେ ଲିଫ୍ଟ ବ୍ୟତୀତ, ର‍୍ୟାମ୍ପର ମଧ୍ୟ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ୫୮୧ ବର୍ଗ ମିଟର ଅଂଚଳରେ ନିର୍ମାଣ ହେବାକୁ ଥିବା ଏହି ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ୬ ମାସ ଭିତରେ ସମାପନ ହେବ ବୋଲି ଉପସ୍ଥିତ ଯନ୍ତ୍ରୀମାନେ ସୂଚନା ଦେଇଥିଲେ । ଏତଦ ବ୍ୟତୀତ ଛାତ୍ରୀ ନିବାସରେ ଡର୍ମିଟେରୀ, ବୈଠକ ଘର, ରନ୍ଧାଘର, ଡାଇନିଂ, ପାହାଚ, ଟୟଲେଟ ବ୍ଲକ, ଦିବ୍ୟାଙ୍ଗ ଟୟଲେଟ, ୧୦ ଜଣ କେପାସିଟି ଥିବା ଲିଫ୍ଟ, ସୁରକ୍ଷା ପାଚେରୀ, ଡ୍ରେନ ଇତ୍ୟାଦି ବ୍ୟବସ୍ଥା ଅଛି । ଆଲୋଚନା ସମୟରେ ବିଶ୍ୱ ବିଦ୍ୟାଳୟର ନିର୍ମାଣଧିନ ପ୍ଲାନେଟୋରିୟମ ଏବଂ ସାଇନ୍ସ ପାର୍କ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଆଜିର ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ପୋଲିସ ହାଉସିଂ କର୍ପୋରେସନର ବିଭାଗୀୟ ଯନ୍ତ୍ରୀ, ଛାତ୍ର ନେତା ଅଙ୍କିତ ସାହୁ ଏବଂ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.