pakka

ନକଲି ସାର୍ଟଫିକେଟ୍‌ କାରବାର : କ୍ରାଇମ୍‌ ବ୍ରାଞ୍ଚ ତଦନ୍ତର ୨ ସପ୍ତାହ ପରେ ବି ଗିରଫ୍‌ ସଂଖ୍ୟା ବଢିନି !

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜାଲ୍‌ ସାର୍ଟଫିକେଟ୍‌ କାରବାର ପ୍ରଥମେ ଲୋକଲୋଚନକୁ ଆସିଥିବା ବେଳେ ପରେ ପରେ ସାରା ଓଡିଶାରେ ଏହାର କଳଙ୍କିତ ଚେର ଲମ୍ବିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସରକାରୀ ବିଭାଗରେ ନକଲି ସାର୍ଟିଫିକେଟ୍‌ ବଳରେ ଲୋକେ ଚାକିରି କରୁଥିବା କଥା ବି ବାଟରେ ଘାଟରେ ଚାଲିଥିବା ଚର୍ଚ୍ଚା ଏବେ ବି ବଳବତ୍ତର ରହିଛି । ଶିକ୍ଷା ବିଭାଗରେ ମାଳ ମାଳ ନକଲି ସାର୍ଟିଫିକେଟ୍‌ଧାରୀ ଚାକିରି କରୁଥିବା ରୀତିମତ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି । ଏତିକି ବେଳେ ଦୀର୍ଘ ଦୁଇ ସପ୍ତାହ ଧରି କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ କରିବା ପରେ ପରେ ମଧ୍ୟ ଗିରଫ ସଂଖ୍ୟା ବଢି ନଥିବା ଯୋଗୁଁ ଜନସାଧାରଣରେ ତଦନ୍ତକୁ ନେଇ ସଂଦେହ ସୃଷ୍ଟି ହୋଇଛି । ବଲାଙ୍ଗିର ଡାକ ବିଭାଗ ପକ୍ଷରୁ ଅଭିଯୋଗ ହେବାର ୪ ଦିନ ମଧ୍ୟରେ ବଲାଙ୍ଗିର ପୁଲିସ ନକଲି ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମନୋଜ ମିଶ୍ର, ମୁଖ୍ୟ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କ ସହ ୧୯ ଜଣଙ୍କୁ ଗିରଫ୍‌ କରିବା ସହ ଜୋର୍‌ସୋର୍‌ ଖୋଲତାଡ ଆରମ୍ଭ କରିଥିଲା । ଏହା ପରେ ପରେ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାକୁ ହାତକୁ ନେଇ ଅଭିଯୁକ୍ତ ମନୋଜ, ଆଲୋକ, ତ୍ରିବିହାରୀ ଓ ପରେଶଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ଆଣି ଜୋର୍‌ସୋର୍‌ ପଚରାଉଚୁରା କରିଥିଲା । ଏହାପରେ ତଦନ୍ତ ଆଧାରରେ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଉଠାଉ ନେଇ ଆହୁରି ଖୋଲତାଡ କରିଥିଲେ ବି ସଂପୃକ୍ତ ୭ ଜଣଙ୍କୁ ନୋଟସ କରି ଛାଡି ଦିଆଯାଇଥିବା କୁହାଯାଇଥିଲା । ପୁଣି ଖୋଦ୍‌ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର, ଏହା ଏକ ବଡ ଧରଣର ମାମଲା ଏବଂ ତଦନ୍ତ ବେଳେ ବହୁତ କିଛି ତଥ୍ୟ ପ୍ରମାଣ ମିଳିଛି ତଥା ଆଗାମୀ ଦିନରେ ଜୋର୍‌ସୋର୍‌ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଣମାଧ୍ୟମକୁ ବିଭିନ୍ନ ସମୟରେ କହିଥିଲେ । କିନ୍ତୁ ଦୀର୍ଘ ୨ ସପ୍ତାହ ପରେ ବି ଏହି ଗିରଫ୍‌ ସଂଖ୍ୟା ବଢି ନଥିବା ଯୋଗୁଁ ସାଧାରଣରେ ବିଭିନ୍ନ ପ୍ରକାର ଆଲୋଚନା ଜୋର୍‌ ଧରିଛି ।

Leave A Reply

Your email address will not be published.

eighteen + 15 =