
- ଓଡ଼ିଶା ଓ ବିହାର ମଧ୍ୟରେ ଯୁବ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍, ଗାନ୍ଧୀ ଷ୍ଟାଡିୟମ୍ରେ ହେବ ଆୟୋଜନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ଆସନ୍ତା ଅକ୍ଟୋବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମ୍ରେ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ଓଡ଼ିଶା ଓ ବିହାର ମଧ୍ୟରେ ଏକ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, କଟକ ପକ୍ଷରୁ ଏହି ମ୍ୟାଚ୍ ଆୟୋଜିତ ହେଉଥିବାବେଳେ ବଲାଙ୍ଗିର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଏହାର ଆୟୋଜନ ଦାୟିତ୍ୱ ତୁଳାଉଛି । ଅକ୍ଟୋବର ୧୨ ତାରିଖ ସକାଳ ୮ଟା ୩୦ ମିନିଟ୍ରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ମାଧ୍ୟମରେ ଓଡ଼ିଶା ଓ ବିହାରର ଯୁବ କ୍ରିକେଟର୍ମାନେ ନିଜର ଖେଳ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଏଥିସହ ବଲାଙ୍ଗିର ଜିଲ୍ଲାରେ କ୍ରିକେଟ୍ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ସ୍ଥାନୀୟ କ୍ରୀଡ଼ାପ୍ରେମୀମାନେ ଉଚ୍ଚସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ । ବଲାଙ୍ଗିରରେ ଏଭଳି ଏକ ରାଜ୍ୟସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଆୟୋଜନ ଜିଲ୍ଲାର କ୍ରୀଡ଼ା କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ସୁଯୋଗ । ଏହି ମ୍ୟାଚ୍କୁ ଉପଭୋଗ କରିବା ପାଇଁ ଜିଲ୍ଲାର କ୍ରିକେଟ୍ପ୍ରେମୀମାନଙ୍କୁ ଗାନ୍ଧୀ ଷ୍ଟାଡିୟମ୍କୁ ଆସିବାକୁ ଆହ୍ୱାନ କରାଯାଇଛି ।