ଲେବଡା ଗ୍ରାମର ମୃତ ଦାଦନ ଶ୍ରମିକଙ୍କ ପତ୍ନୀଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ଗାଁର ନିରୀହ ଦଶମତି ସାହୁଙ୍କ ସ୍ୱାମୀ ସନ୍ତୋଷ ସାହୁ ଦଶ ମାସ ଆଗରୁ ହରିୟାଣାକୁ ଦାଦନ ଖଟିବା ପାଇଁ ଯାଇ ଛାତ ଉପରୁ ଖସିପଡ଼ି ମୃତ୍ୟୁ ବରଣ କରିଥିଲେ । ସ୍ଵାମୀଙ୍କ ମୃତ୍ୟୁ ପରେ ନିରୀହ ଦଶମତୀ ଏକା ହୋଇଯିବା ସହ ସମସ୍ତ ପ୍ରକାର ସରକାରୀ ସହାୟତାରୁ ବଞ୍ଚିତ ହୋଇଥିଲେ । ହେଲେ ଅନ୍ୟ ରାଜ୍ୟରେ ସ୍ଵାମୀଙ୍କ ମୁତ୍ୟୁ ହୋଇ ଥିବାରୁ ଘଟଣାର ୮ମାସ ବିତି ଯାଇଥିଲେ ମଧ୍ୟ ତାଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ଖଣ୍ଡେ ମିଳିପାରୁନ ଥିଲା । ସେ ଏନେଇ ଅନେକ ସରକାରୀ କାର୍ଯ୍ୟାଳୟ ବୁଲି ସାରିଥିଲେ ହେଲେ ମୃତ୍ୟୁ ପ୍ରମାଣ ପତ୍ରଟିଏ ପାଇପାରି ନ ଥିଲେ । ଗତ ପନ୍ଦର ଦିନ ତଳେ ଖବର ପାଇ ତାଙ୍କ ଘରକୁ ପହଞ୍ଚି ଥିଲେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁ ଓ ସବୁ ଦୁଃଖ କଥା ବୁଝି ଥିଲେ । ସେ ଏ ସମ୍ପର୍କରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏ ବାବଦରେ ଆଲୋଚନା କରି ତାଙ୍କୁ ମୃତ ଦାଦନ ଶ୍ରମିକ ସନ୍ତୋଷ ସାହୁଙ୍କ ମୃତ୍ୟୁ ପ୍ରମାଣ ପତ୍ରଟିଏ ପାଇଁ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ଖେତ୍ରି ମୃତ ସନ୍ତୋଷଙ୍କ ପତ୍ନୀ ଦଶମତି ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହା ସହିତ ତାଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗେଇ ଦେବା ପାଇଁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଉପଜିଲ୍ଲାପାଳଙ୍କ ଏହି କାମକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି । ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଏହି ମହତ୍ କାର୍ଯ୍ୟ ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

6 + nine =