
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆବାସ ଘର ଛାତ ଉପରେ ରଡ଼ କାମ କରୁଥିବା ବେଳେ ହାତରେ ଧରିଥିବା ଲୁହା ରଡ଼ ହଟାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଲକ୍ଷ୍ମଣ ମାଝୀ(୩୦) ବୋଲି ଜଣାପଡ଼ିଛି । ଏହି ଅଘଟଣ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମୁଣ୍ଡି ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଲକ୍ଷ୍ମଣ ମାଝୀ ଇନ୍ଦ୍ର ମାଝୀଙ୍କ ଆବାସ ଘର ଛାତ ଉପରେ ରଡ଼ କାମ କରୁଥିବା ସମୟରେ ତାଙ୍କ ହାତରେ ଥିବା ଲୁହା ରଡ଼ ହଠାତ୍ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ପବନ କୁମାର ବଚ୍ଛା ତାଙ୍କୁ ମୃତ ଘୋଷଣା କରିଥିଲେ । ସକାଳ ପ୍ରାୟ ୯ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ବିଜେପୁର ପୋଲିସ ଖବର ପାଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।