
ବଲାଙ୍ଗିର, (କେପିଏନ୍ଏସ୍) : କନକବର୍ଦ୍ଧନ ସିଂହଦେଓ ବଲାଙ୍ଗିର ଜିଲ୍ଲା ଗସ୍ତକରି କୃଷି, ଗ୍ରାମ୍ୟ ବିକାଶ ଓ ଚାଷୀ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ସେ ଜିଲ୍ଲାର କୃଷି ଉତ୍ପାଦନ, ସେଚନ ବ୍ୟବସ୍ଥା ଓ ଚାଷୀମାନଙ୍କ ପାଇଁ ଚାଲୁଥିବା ସରକାରୀ ଯୋଜନା ବିଷୟରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଗସ୍ତ ସମୟରେ ସେ ଦେଓଗାଁ ଚିନିକଳ ପରିଦର୍ଶନ କରି ଏହାର ପୁନଃରୁଦ୍ଧାର ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ସେ କହିଥିଲେ ଯେ, ଏହି ଚିନିକଳ ପୁନଃ ଚାଲୁ ହେଲେ ବଲାଙ୍ଗିରର ଚାଷୀମାନେ ବିଶେଷକରି ଆଖୁ ଚାଷୀମାନେ ଅଧିକ ଲାଭାନ୍ୱିତ ହେବେ । ଏହା ଫଳରେ ଚାଷୀଙ୍କ ଆୟ ବୃଦ୍ଧି ପାଇବା ସହ ଜିଲ୍ଲାର ଅର୍ଥନୀତିରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ । ଶ୍ରୀ ସିଂହଦେଓ କହିଥିଲେ ଯେ, ଚିନିକଳର ପୁନଃରୁଦ୍ଧାର ହେଲେ ସ୍ଥାନୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଗ୍ରାମ୍ୟ ଅର୍ଥନୀତି ଆହୁରି ସୁଦୃଢ ହେବ । ସରକାର ଏହାର ଶୀଘ୍ର ପୁନଃରୁଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ଗସ୍ତ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।