jayashree

ଜଗଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଏନ୍ଆଇଟିର ପ୍ରଫେସର ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ, ବିଦ୍ୟାଳୟର ସଭାପତି ଡା. ସାମନ୍ତ କୁମାର ସାହୁ, ଉପସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର, ସହ ସମ୍ପାଦକ କୃପାସିନ୍ଧୁ ବେଉରିଆ, କୋଷାଧକ୍ଷ ଚନ୍ଦ୍ରଶେଖର ପତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ପ୍ରଫେସର ଡା. ପ୍ରଧାନ ତାଙ୍କ ବକ୍ତବ୍ୟରେ ମାନବ ସଭ୍ୟତା ଓ ଦେଶ ବିକାଶରେ ବିଜ୍ଞାନର ଆବଶ୍ୟକ‌ତା ତଥା ନିରନ୍ତର ଗବେଷଣା କ୍ଷେତ୍ରରେ ଶିଶୁମାନେ ଆଗ୍ରହୀ ହେବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ବିଜ୍ଞାନ ପ୍ରକଳ୍ପ ୮୦ଟି ଓ ଗଣିତରେ ୨୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶକ୍ତିସଂରକ୍ଷଣ, ଆବର୍ଜନା ପ୍ରବନ୍ଧନ, ସୌରଶକ୍ତି, କୃଷି, ଜୀବାଶ୍ମ ଇନ୍ଧନ, ଖାଦ୍ୟ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବିକ ବିବିଧତା, ପରିବେଶ ସୁରକ୍ଷା, ମହାକାଶ ବିଜ୍ଞାନ ପ୍ରଭୃତି ଅନେକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ପ୍ରକଳ୍ପରେ ୧୦ ଜଣ, ଗଣିତ ପ୍ରକଳ୍ପରେ ୧୭ ଜଣ, ବିଜ୍ଞାନ ପ୍ରୟୋଗରେ ୨୫ ଜଣ, ଗଣିତ ପ୍ରୟୋଗରେ ୨୦ ଜଣ, ଆଶୁ ଭାଷଣରେ ୩୦ ଜଣ, ଗଣିତ ପ୍ରଶ୍ନମଞ୍ଚରେ ୩୦ ଜଣ, ବିଜ୍ଞାନ ପ୍ରଶ୍ନ ମଞ୍ଚରେ ୯୮ ଜଣ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚରେ ୩୦ ଜଣ, ପତ୍ରବାଚନରେ ୧୪ ଜଣ, ମୂର୍ତ୍ତିକଳା ୧୧ ଜଣ ଓ ନିବନ୍ଧ ପ୍ରତିଯୋଗିତାରେ ୭୦ ଜଣ ଅଂଶଗ୍ରହଣ କରିଥିଲେ । ସମସ୍ତ ଶିଶୁମାନଙ୍କୁ ଶିଶୁ, ବାଲ ଓ କିଶୋର ଏହିପରି ତିନୋଟି ଭାଗରେ ଭାଗ କରାଯାଇଥିଲା । ନିକଟସ୍ଥ ପ୍ରଗତି ବିଦ୍ୟାମନ୍ଦିର, ଚିନ୍ମୟ ବିଦ୍ୟାଳୟ, ଗୋପବନ୍ଧୁ ହାଇସ୍କୁଲ ହମିରପୁର, ଡିଭାଇନ ଲାଇଫ ଏକାଡେମୀ, ଏନ.ଆଇ.ଟି କ୍ୟାମ୍ପସ ହାଇସ୍କୁଲ, ସେକ୍ଟର-୨୦ ହାଇସ୍କୁଲ, ସେକ୍ଟର-୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ରାଉରକେଲା ଟାଉନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଜ୍ଞାନ ଶିକ୍ଷକମାନେ ବିଚାରକ ରୂପେ ଯୋଗଦେଇଥିଲେ । ସମାରୋପ କାର୍ୟ୍ୟକ୍ରମରେ ରାଉରକେଲା ସଂକୁଳର ସଂକୁଳ ପ୍ରମୁଖ ଶ୍ରୀ ଶତପଥି ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀ ମହାପାତ୍ର ଯୋଗଦେଇ ମା’ ସରସ୍ୱତୀଙ୍କ ନିକଟରେ ପୁଷ୍ପାର୍ଚ୍ଚନା କରିଥିଲେ । ସଂକୁଳ ପ୍ରମୁଖ ଶ୍ରୀ ଶତପଥୀ ତାଙ୍କ ଅଭିଭାଷଣରେ ଭବିଷ୍ୟତର ବୈଜ୍ଞାନିକ ଶିଶୁ ଭାଇଭଉଣୀ ମାନଙ୍କୁ ଭୌତିକ ସୁଖ ସାଧନା ନିମନ୍ତେ ଏହି ଜ୍ଞାନବିଜ୍ଞାନ ମେଳାର ଉପାଦେୟତା ଓ ଆଗାମୀ ସମସ୍ୟାର ସମାଧାନ ନିମନ୍ତେ ବିଜ୍ଞାନର ଆବଶ୍ୟକ‌ତା ସମ୍ବନ୍ଧରେ ବକ୍ତବ୍ୟ ରଖୁଥିଲେ । ସମ୍ପାଦକ ଶ୍ରୀ ମହାପାତ୍ର ଜ୍ଞାନବିଜ୍ଞାନ ମେଳା ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବାର ପ୍ରକୃଷ୍ଟ ମାଧ୍ୟମ ବୋଲି ଅଭିହିତ କରିଥିଲେ । ବିଜ୍ଞାନ ପ୍ରମୁଖା ଅର୍ଚ୍ଚନା ମଞ୍ଜରୀ ପଣ୍ଡା ବିବରଣୀ ପାଠ କରିଥିଲାବେଳେ ଭଲ ପ୍ରଦର୍ଶନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ କାଶୀନାଥ ପାଢ଼ୀ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ଅଂଶଗ୍ରହଣ କରି ଜ୍ଞାନବିଜ୍ଞାନ ମେଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.