jayashree

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରଜ୍ଞାନ ମିଶନ୍‌ର ବ୍ଲକସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭାରତୀୟ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ଅମୂଲ୍ୟ ଗ୍ରନ୍ଥ ଶ୍ରୀମଦ୍‌ଭଗବଦ୍‌ଗୀତାର ବାଣୀକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ସଂସ୍କୃତ ଭାଷା ଓ ଶ୍ଳୋକ ଉଚ୍ଚାରଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଜ୍ଞାନ ମିଶନ୍ ପକ୍ଷରୁ ମୁରିବାହାଲସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ବ୍ଲକ୍‌ସ୍ତରୀୟ ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ମଙ୍ଗଳବାର ଆୟୋଜିତ ହୋଇଯାଇଛି । ମୁରିବାହାଲ ଓଏଭି ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋଦଣ୍ଡଧର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୀତାର ଉପଦେଶ ମନୁଷ୍ୟକୁ କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ ଓ ନୈତିକ ଜୀବନଯାପନ ପାଇଁ ପ୍ରେରଣା ଦେଇଥାଏ ବୋଲି ମତପ୍ରକାଶ କରିଥିଲେ । ସଂସ୍କୃତଭାରତୀ, ଉତ୍କଳ (ପଶ୍ଚିମପ୍ରାନ୍ତ)ର ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ପ୍ରତିଯୋଗିତାର ସଂଯୋଜନା ଓ ସମନ୍ୱୟ ଦାୟିତ୍ୱ ତୁଳାଇଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଜିତ୍ ମହାକୁର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ପିଏମ୍‌ଶ୍ରୀ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲେବଡାର ସଂସ୍କୃତ ଶିକ୍ଷକ ତୋଷ କୁମାର ସାହୁ ସଭା ପରିଚାଳନା ଓ ଅରବିନ୍ଦ ଦାଶ ଧନ୍ୟବାଦ ଦେଇଥିଲେ । ମୂଲ୍ୟାୟନ କାର୍ଯ୍ୟରେ ଶିକ୍ଷକ ଯଶୋବନ୍ତ ସାହୁ, ପରାଶର ଲୁହା, ଅରୁଣ ପାତ୍ର, ସୁମନାନନ୍ଦ ଖମାରୀ, ଚୌବନ ଜାନି, ଲକ୍ଷ୍ମୀକାନ୍ତ ସେଠ, ଆଶିଷ ପଧାନ, ନବକୃଷ୍ଣ ନିଆଲ ଓ ଶିକ୍ଷୟିତ୍ରୀ ଝୁନୁରାଣୀ ନନ୍ଦ ପ୍ରମୁଖ ବିଚାରକ ଥିଲେ । ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ବରିଷ୍ଠ ବର୍ଗରେ ଆଦ୍ୟାଶା ମିଶ୍ର, ଆଦ୍ୟାଶା ଦାଶ, ତନ୍ମୟା ଛୁରା ଓ ହିରାବତୀ ପୁଟେଲ କନିଷ୍ଠ ବର୍ଗରେ ଅର୍ଚ୍ଚନା ବାଗ, ରାଣୀ ଛୁରା, ଶ୍ରୀୟାସ୍ମିତା ରଶ୍ମିରାଣି ସାହୁ, ଉପକନିଷ୍ଠ ବର୍ଗରେ ଆଦ୍ୟାଶା ବଘାର, ଆରାଧ୍ୟା ମହାରଣା ଓ ମିଲି ସେଠ କ୍ରମାଗତ ଭାବରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରି ନଭେମ୍ବର ୨୨ ତାରିଖରେ ଆୟୋଜିତ ହେବାକୁ ଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ମୁରିବାହାଲ ବ୍ଲକର ପ୍ରତିନିଧିତ୍ୱ କରିବେ । ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ କେବଳ ଶ୍ଳୋକ ଆବୃତ୍ତିର ଦକ୍ଷତା ବୃଦ୍ଧି କରିନଥିଲା, ବରଂ ସଂସ୍କୃତ ଭାଷାର ମାଧୁର୍ଯ୍ୟ, ଶୁଦ୍ଧ ଉଚ୍ଚାରଣ ଓ ଭାରତୀୟ ସାଂସ୍କୃତିକ ପରମ୍ପରା ପ୍ରତି ଆତ୍ମୀୟତା ସୃଷ୍ଟି କରିବାରେ ମଧ୍ୟ ସହାୟକ ହୋଇଥିଲା । ଗୀତାର ନିଷ୍କାମ କର୍ମ, କର୍ତ୍ତବ୍ୟପରାୟଣତା, ଆତ୍ମସଂଯମ ଓ ମାନବୀୟ ମୂଲ୍ୟବୋଧ ଭଳି ଆଦର୍ଶକୁ ଛାତ୍ରଜୀବନରେ ଅନୁସରଣ କରିବା ପାଇଁ ଏହା ଏକ ପ୍ରେରଣାଦାୟୀ ମଞ୍ଚ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.