ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ମାସ୍କ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାମାରୀ ସମୟରେ ମାସ୍କ ବ୍ୟବହାର କରି ସଂକ୍ରମଣକୁ ଅନେକାଂଶରେ ରୋକାଯାଇ ପାରିବ । ସହରରକୁ ସ୍ଵଛ ଓ ନିର୍ମଳ ରଖିବା ପାଇଁ ଦିନ ରାତି କାମ କରୁଥିବା ପୌର କର୍ମଚାରୀଙ୍କ ପାଇଁ ମାସ୍କ ବ୍ୟବହାର ଆହୁରି ଗୁରୁତ୍ୱପୂର୍ଣ୍ଣ । ଏହାକୁ ହୃଦୟଙ୍ଗମ କରି ନଅଗାଁର ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ବଲାଙ୍ଗୀର ପୌରକର୍ମଚାରୀ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି । ସଂପ୍ରତି ବଢୁଥିବା କୋରୋନାର ସଂକ୍ରମଣକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ।
କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବଲାଙ୍ଗୀର ପୌରାଞ୍ଚଳରେ କାର୍ୟ୍ୟ କରୁଥିବା ସଫେଇ କର୍ମଚାରୀ, ତଦାରଖ କାରୀ, ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ତଥା ପୌର କର୍ମଚାରୀମାନଙ୍କୁ ଉନ୍ନତ ମାନର ଏନ୍‌୯୫ମାସ୍କ ବ୍ୟବହାର କରିବାକୁ ଯୋଗାଇ ଦିଆଯାଇଥିବା ସଂଗଠନ କହିଛି । ପଲ୍ଲୀ ଆଲୋକ ସଂଗଠନର କର୍ମକର୍ତ୍ତାମାନେ ଆଜି ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଭେଟି ୪୦୦ ଗୋଟି ଏନ୍‌୯୫ ଓ ୬୦୦ ଗୋଟି ସର୍ଜିକାଲ ମାସ୍କ ପ୍ରଦାନ କରିଛନ୍ତି । ଉତ୍ତରରେ, କୋଭିଡ ମୁକାବିଲା କ୍ଷେତ୍ରରେ ଏହି ମାସ୍କ ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦୀପ କହିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ପଲ୍ଲୀ ଆଲୋକ ପାଠାଗାରର ସଂପାଦକ ପ୍ରଶାନ୍ତ ନାୟକ, କାର୍ୟ୍ୟକ୍ରମ ସଂଯୋଜକ ହୀରାଲାଲ ମିଶ୍ର ଓ ଭାଗିରଥି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ, ଗତ ବର୍ଷ ମହାମରୀ ଆରମ୍ଭରୁ ପଲ୍ଲୀ ଆଲୋକ ସଂଗଠନ କପଡା ମାସ୍କ ବଣ୍ଟନ ଜାରି ରଖିଛି । ତା ସହିତ ବିଭିନ୍ନ ସ୍ଥାନରେ ଦାଦନ ଶ୍ରମିକ ଓ ଅନାଥ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଛି । ପୌର ପ୍ରଶାସନ ସହଯୋଗ ଓ ସହମତି ପ୍ରକାଶ କଲେ ସଂଗଠନ ଆଗକୁ ମଧ୍ୟ କୋଭିଡ ମୁକାବିଲାରେ ନିଜସ୍ୱ ପ୍ରଚେଷ୍ଟା ଜାରି ରଖିବ ବୋଲି ପଲ୍ଲୀ ଆଲୋକ ତରଫରୁ କୁହାଯାଇଛି ।

Leave A Reply

Your email address will not be published.

three + nine =

error: Content is protected !!