csstore

ସଡ଼କ ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଗାଁର ଯୁବକମାନେ

ଜୟପାଟଣା, (ଶେଷଦେବ ବେହେରା) : ଆଞ୍ଚଳିକ ବିକାଶ ପାଇଁ ସାଧାରଣତଃ ସରକାର ଏବଂ ପ୍ରଶାସନ ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ି ଚାଲିଥିବା ବେଳେ ଗାଁର ସ୍ୱଚ୍ଛତା ପ୍ରତି ସମର୍ପିତ ଥିବା କଦୋପଦର ଗ୍ରାମର ଯୁବକମାନେ ଏବେ ଦିନ ତମାମ ପରିଶ୍ରମ କରି ଚଲା ରାସ୍ତାର ମରାମତି କରି ଥିବା ଘଟଣା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ବାନେର ପଞ୍ଚାୟତ ଅନ୍ତର୍ଗତ କାଦୋପଦର ଗ୍ରାମର କିଛି ଯୁବକ ନିୟମିତ ଭାବରେ ଗାଁର ପରିମଳ, ସ୍ୱଚ୍ଛତା, ପୀଡିତଙ୍କୁ ରକ୍ତଦାନ ଆଦି ସମାଜ ମଙ୍ଗଳ କାମରେ ନିଜକୁ ନିୟୋଜିତ କରୁଥିବା ବେଳେ ଗାଁରୁ ବିଜମରା ଯାଉଥିବା ରାସ୍ତାକୁ ନିଜ ନିଜର ଶ୍ରମଦାନ କରି ମରାମତି କରିଥିବା ଘଟଣା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । କାଦୋପଦର ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ସଂଯୋଗ କରୁଥିବା ସତ୍ତ୍ବେ ଗାଁ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଦୈନନ୍ଦିନ ଜୀବନ ଯାତ୍ରା ଦୁଇ କିଲୋମିଟର ଦୂରେ ଅବସ୍ଥିତ ବିଜମରା ଗ୍ରାମ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ହାରାହାରି ଦୁଇହଜାର ଜନ ସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ହାରାହାରି ପଚାଶରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ରାସ୍ତା ଦେଇ ବିଜମରା ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ । ସ୍ଥାୟୀ ସଡ଼କ ନ ଥିବା ହେତୁ ସମସ୍ତେ ବିଲବାଡ଼ି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ବର୍ଷା ଆସିଲେ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଯାଏ । ଏଭଳି ସ୍ଥିତିରେ ଗାଁର ଅଚ୍ୟୁତ ପଣ୍ଡା, ସ୍ୱାଗତ ପଣ୍ଡା, ଶୁଭମ୍ ପଣ୍ଡା, ସୁଶିଲ ପଣ୍ଡା, କୁମୁଦ ବଗର୍ତ୍ତି, ବିଶ୍ଵାମିତ୍ର ଭାଟି, ଉମାକାନ୍ତ ତେଜି, ମେଘ ନାଏକ, ଲବକାନ୍ତ ନାଏକ, ଗୋପାଳ ଲହଜଲ୍, ରାକେଶ କାଣ୍ଡ, ପିତାମ ବାଗ, ସାନୁ ବାଗ, ମଣ୍ଟୁ ବାଗ, ବଶିଷ୍ଠ ମାଝୀ ପ୍ରମୁଖ ଅନବରତ ପରିଶ୍ରମ କରି ରାସ୍ତା ମରାମତି କରିଥିବାର ସୂଚନା ମିଳିଛି । ଏ ସଂକ୍ରାନ୍ତରେ ବାନେର ସରପଞ୍ଚ ଗୌତମ ମାଝୀଙ୍କ ସାଙ୍ଗରେ ଯୋଗାଯୋଗ କରିବାରୁ ପରବର୍ତ୍ତୀ ଯୋଜନାରେ ରାସ୍ତାକୁ ସାମିଲ କରି ପୂର୍ଣ୍ଣାଙ୍ଗ କରାଯିବ ବୋଲି ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.